ନୂଆଦିଲ୍ଲୀ ୨।୩: ଏବେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ପୂର୍ବାପେକ୍ଷା ଅଧିକ ବୟଷ୍କ ଭୋଟରଙ୍କ ଧାଡି ଦେଖିବାକୁ ମିଳିବ। କେନ୍ଦ୍ର ସରକାର ପୋଷ୍ଟାଲ ବାଲଟ ଜରିଆରେ ଭୋଟ ଦେଉଥିବା ଭୋଟରଙ୍କ ବୟସ ସୀମା ୮୦ରୁ ବଢାଇ ୮୫ ବର୍ଷ କରିଦେଇଛନ୍ତି। ଅର୍ଥାତ ଏବେ ୮୫ ବର୍ଷରୁ କମ୍ ବୟଷ୍କ ଭୋଟରଙ୍କୁ ଭୋଟଗ୍ରହଣ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିବାକୁ ପଡିବ। ଏହା ପୂର୍ବରୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟଷ୍କ ଭୋଟରଙ୍କୁ ପୋଷ୍ଟାଲ ବାଲଟ ସୁବିଧା ମିଳୁଥିଲା।
କେନ୍ଦ୍ର ସରକାର ନିର୍ବାଚନ ଆୟୋଗଙ୍କ ସହ ବିଚାର ବିମର୍ଷ କରିବା ପରେ ୧ ମାର୍ଚ୍ଚରୁ ନିର୍ବାଚନ ପରିଚାଳନା ନିୟମ ୧୯୬୧ରେ ସଂଶୋଧନ କରିଛନ୍ତି। ଏହି ପରିବର୍ତ୍ତନ ସରକାର ଗତ ୧୧ଟି ବିଧାନସଭା ନିର୍ବାଚନରେ ବୟଷ୍କଙ୍କ ଭୋଟିଂ ପାଟର୍ଣ୍ଣକୁ ଦେଖି କରିଛନ୍ତି। ଏହି ସବୁ ନିର୍ବାଚନରେ ୮୦ବର୍ଷରୁ ଊର୍ଦ୍ଧ୍ୱ ୯୭ରୁ ୯୮ ପ୍ରତିଶତ ଭୋଟର ଭୋଟଗ୍ରହଣ କେନ୍ଦ୍ରକୁ ଯାଇ ମତଦାନ କରିବାକୁ ପସନ୍ଦ କରିଥିଲେ। ଏହାକୁ ଦେଖି ସରକାର ୨୦୨୦ରେ କରାଯାଇଥିବା ଏହି ବ୍ୟବସ୍ଥାରେ ସଂଶୋଧନ କରିଛନ୍ତି।
{"id":916298,"width":840,"height":629,"sizeSlug":"full","linkDestination":"none"}
ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ସଞ୍ଚାଳନ ନିୟମର ୨୭-ଏ ଅନୁସାରେ ୮୦ବର୍ଷରୁ ଅଧିକ ଆୟୁବର୍ଗର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ନିର୍ବାଚନ ଡ୍ୟୁଟିରେ ମୁତୟନ କର୍ମଚାରୀ ଓ ସେନା କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ବାଲଟ ଅର୍ଥାତ ଡାକ ମତପତ୍ର ସୁବିଧା ପ୍ରଦାନ କରାଯାଇଛି। ୨୦୨୦ ବିହାର ବିଧାନସଭା ନିର୍ବାଚନରେ କୋଭିଡ ସଂକ୍ରମିତ ଭୋଟରଙ୍କୁ ମହାମାରୀ କାଳରେ ଏହି ସୁବିଧା ପ୍ରଦାନ କରାଯାଇଥିଲା। ମତଗଣନା କାଳରେ ଅନୁମାନ ସର୍ବ ପ୍ରଥମେ ପୋଷ୍ଟାଲ ବାଲଟର ହିଁ ଗଣନା ହୋଇଥାଏ। ଏହା ପରେ ଇଭିଏମରେ ରେକର୍ଡ ଭୋଟ ଗଣତି ହୁଏ।
ପୋଷ୍ଟାଲ ବାଲଟ ସଂଖ୍ୟା କମ ହୋଇଥାଏ ଓ ଏହା କଗଜରେ ଦିଆଯାଇଥିବା ଭୋଟ ହୋଇଥାଏ। ଏଣୁ ଏହାର ଗଣନା ସୁବିଧାଜନକ ହୋଇଥାଏ। ରିପୋର୍ଟ ଅନୁସାରେ ଡାକମତ ପତ୍ରକୁ ନେଇ ନିର୍ବାଚନ ଆୟୋଗ ନିକଟରେ ନିର୍ବାଚନ ସରିଥିବା ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୨ରୁ ୩ ପ୍ରତିଶତ ଭୋଟର ପୋଷ୍ଟାଲ ବାଲଟ ବିକଳ୍ପ ବାଛିଥିଲେ। ବାକି ଭୋଟର ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେବା ବିକଳ୍ପ ବାଛିଥିଲେ। ସାରା ଦେଶରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟଷ୍କ ଭୋଟରଙ୍କ ସଂଖ୍ୟା ୧.୭୫ କୋଟି। ଯେଉଁମାନଙ୍କ ମଧ୍ୟରୁ ୮୦ରୁ ୮୫ ଆୟୁବର୍ଗର ଭୋଟରଙ୍କ ସଂଖ୍ୟା ୯୮ ଲକ୍ଷରୁ ଅଧିକ।