ରାଜସ୍ଥାନରେ ଏବେ ସାମ୍ବାଦିକଙ୍କ ପିଲାଙ୍କୁ ମିଳିବ ସ୍କଲାରସିପ୍, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | September 10, 2022 IST

ଜୟପୁର ୧୦।୯:  ରାଜସ୍ଥାନରେ ଗହଲୋଟ ସରକାର ଗୋଟିକ ପରେ ଗୋଟିଏ ଜନକଲ୍ୟାଣ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଏହି କ୍ରମରେ ଗହଲୋଟ ସରକାର ଶୁକ୍ରବାର ଅଧିସ୍ୱୀକୃତ ସାମ୍ବାଦିକଙ୍କ ପିଲାଙ୍କ ଲାଗି ସ୍କୋଲାରସିପ୍ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସନ୍ତାନସନ୍ତତିଙ୍କୁ ଏବେ ପ୍ରି ମେଟ୍ରିକ୍ ଓ ପୋଷ୍ଟମେଟ୍ରିକ ସ୍କୋଲାରସିପ୍ ମିଳିବ। ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଅଧିସୂଚନାକୁ ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ପୋଷ୍ଟମେଟ୍ରିକ ସ୍କୋଲାରସିପ୍ ଯୋଜନାରେ ଉଚ୍ଚଶିକ୍ଷା ସଂସ୍ଥାନରେ ପଢୁଥିବା ଅଧିସ୍ୱୀକୃତ ସାମ୍ବାଦିକଙ୍କ ପିଲାଙ୍କୁ ସ୍କୋଲାରସିପ୍ ମିଳିବ। ଏଥିରେ ହଷ୍ଟେଲରେ ରହି ପଢୁଥିବା ପିଲାଙ୍କୁ ୪ ହଜାରରୁ ୧୩୫୦୦ଟଙ୍କା ପର୍ଯ୍ୟନ୍ତ ସ୍କୋଲାରସିପ୍ ଦିଆଯିବ।  ସେହିପରି ଡେ ସ୍କୋଲାରଙ୍କୁ ୨୫୦୦ରୁ ୭ ହଜାର ଟଙ୍କା ସ୍କୋଲାରସିପ୍ ପାଇବେ। ପୋଷ୍ଟମାଟ୍ରିକ୍ ସ୍କୋଲାରସିପ୍‌କୁ ୪ଟି ବର୍ଗରେ ବଣ୍ଟା ଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ପ୍ରଫେସନାଲ ଡିଗ୍ରି କୋର୍ସେସ୍ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ୧୩ ହଜାର ୫୦୦ ଓ ଡେ ସ୍କୋଲାର ଛାତ୍ରଛାତ୍ରୀଙ୍କୁ ୭ହଜାର ଟଙ୍କା ମିଳିବ।

{"id":682610,"sizeSlug":"full","linkDestination":"none"}

ବିଭିନ୍ନ ପ୍ରଫେସନାଲ କୋର୍ସେସ ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଓ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯାଏ, ଏଥିରେ ହଷ୍ଟେଲରେ ରହି ପଡୁଥିବା ଛାତ୍ରଛାତ୍ରୀଙ୍କୁ ୯ହଜାର ୫୦୦ ଓ ଡେ ସ୍କୋଲାର ଛାତ୍ରଛାତ୍ରୀଙ୍କୁ ୬ ହଜାର ୫୦୦ ଟଙ୍କା ସ୍କୋଲାରସିପ୍ ମିଳିବ। ସେହିପରି ୧୦ମ ଶ୍ରେଣୀପରେ ପଢା ଯାଉଥିବା ବିଭିନ୍ନ ନନ୍ ଡିଗ୍ରି କୋର୍ସେସ୍‌ରେ ପଢୁଥିବା ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିଲେ ୪ହଜାର ୫୦୦ ଟଙ୍କା ଓ ଡେ ସ୍କୋଲାର ହୋଇଥିଲେ ୨୫୦୦ ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ପାଇବେ। ସେହିପରି ଅନ୍ୟ ସ୍ନାତକ ଓ ସ୍ନାତକୋତ୍ତର କୋର୍ସ କରୁଥିବା ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିଲେ ୬ ହଜାର ଓ ଡେ ସ୍କୋଲାରଙ୍କୁ ୩ ହଜାର ଟଙ୍କାର ସ୍କୋଲାରସିପ୍‌ ବ୍ୟବସ୍ଥା କରାଯାଇଛି।

ପ୍ରି-ମେଟ୍ରିକ ସ୍କୋଲାରସିପ୍‌ରେ ସାମ୍ବାଦିକଙ୍କ ଷଷ୍ଠରୁ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରୀଙ୍କୁ ମଧ୍ୟ ସ୍କୋଲାରସିପ୍ ମିଳିବ। ଏଥିରେ ଅଧିକତମ ୧୦ ମାସ ଲାଗି ୧ ହଜାର ଟଙ୍କା ସ୍କୋଲାରସିପ୍ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗହଲୋଟ ୨୦୨୨-୨୩ ବଜେଟ୍‌ରେ ସମାଜକୁ ସଚେତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ସାମ୍ବାଦିକଙ୍କ ଭୂମିକାକୁ ଧ୍ୟାନରେ ରଖି ସେମାନଙ୍କୁ ସାମାଜିକ ସୁରକ୍ଷା ଉପଲବ୍ଧ କରିବା ଦିଗରେ ସେମାନଙ୍କ ପିଲାମାନଙ୍କୁ ସ୍କୋଲାରସିପ୍ ଦେବାକୁ ଘୋଷଣା କରିଥିଲେ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.