ଏବେ ହୋଟେଲ୍-ରେଷ୍ଟୁରାଣ୍ଟ ନେଇ ପାରିବେ ନାହିଁ ସର୍ଭିସ୍ ଚାର୍ଜ, ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ଖାଉଥିବା ଗ୍ରାହକଙ୍କ ପାଇଁ ଭଲ ଖବର। ଏବେ ଆଉ ଆପଣଙ୍କୁ ସର୍ଭିସ ଚାର୍ଜ ଦେବାକୁ ପଡିବ ନାହିଁ। ସାଧାରଣତଃ ରେଷ୍ଟୁରାଣ୍ଟରେ ଖାଇବା ପରେ ଯେବେ ବିଲ୍ ଆସିଥାଏ ସେଥିରେ ଅନେକ ପ୍ରକାରର ଚାର୍ଜ ଲାଗିଥାଏ। ଏଥିରେ ସର୍ଭିସ ଚାର୍ଜ ବି ସାମିଲ୍ ଥାଏ। ଗ୍ରାହକଙ୍କଠୁ ନିଆଯାଉଥିବା ଏହି ସର୍ଭିସ୍ ଚାର୍ଜ ସଂପୂର୍ଣ୍ଣ ଭୁଲ୍। ଏହାକୁ ନେଇ ଗତ ଅନେକ ଦିନ ଧରି ବିତର୍କ ଲାଗି ରହିଥିଲା। ଏବେ ଏହି ମାମଲା ଉପରେ ନିଷ୍ପତ୍ତି ହୋଇ ଯାଇଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ(ସିସିପିଏ) ସୋମବାର ନିଷ୍ପତ୍ତି ଶୁଣାଇ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ ବିଲ୍ ଉପରେ କୌଣସି ପ୍ରକାରର ସର୍ଭିସ ଚାର୍ଜ ଲଗାଇ ପାରିବେ ନାହିଁ ବୋଲି କହିଛନ୍ତି।

ବଢୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ସିସିପିଏ ସର୍ଭିସ୍ ଚାର୍ଜ ସମ୍ବନ୍ଧରେ ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଂଘନ ରୋକିବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ନୂତନ ନିୟମ ମୁତାବକ କୌଣସି ବି ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ କୌଣସି ଗ୍ରାହକଙ୍କୁ ସର୍ଭିସ ଚାର୍ଜ ଦେବାକୁ ବାଧ୍ୟ କରି ପାରିବେ ନାହିଁ। ଗ୍ରାହକଙ୍କୁ ସ୍ପଷ୍ଟ ଭାବେ ସୂଚିତ କରାଇବେ ଯେ, ସେବା ଶୁଳ୍କ ସ୍ବେଚ୍ଛାକୃତ ଏବଂ ଗ୍ରାହକଙ୍କ ବିବେକ ଉପରେ ନିର୍ଭର କରେ। ଅର୍ଥାତ ସର୍ଭିସ୍ ଚାର୍ଜ ଦେବା କିମ୍ବା ନଦେବା ଗ୍ରାହକଙ୍କ ଉପରେ ନିର୍ଭର କରେ। ଏଥିପାଇଁ ରେଷ୍ଟୁରାଣ୍ଟ ଜବରଦସ୍ତି କରି ପାରିବେ ନାହିଁ।

ଗାଇଡଲାଇନ୍ ଅନୁଯାୟୀ, ଯଦି କୌଣସି ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଗ୍ରାହକଙ୍କଠୁ ବଳପୂର୍ବକ ସର୍ଭିସ ଚାର୍ଜ ନିଏ ତେବେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ ନମ୍ବର ୧୯୧୫ରେ ଅଭିଯୋଗ କରାଯାଇ ପାରିବ। ଏହା ବ୍ୟତୀତ ଗ୍ରାହକ ଉପଭୋକ୍ତା ଆୟୋଗଙ୍କ ନିକଟରେ ଅନଲାଇନ ଅଭିଯୋଗ କରି ପାରିବେ। ଗ୍ରାହକ ଜିଲ୍ଲାପାଳଙ୍କ ନିକଟରେ ବି ଅଭିଯୋଗ କରି ପାରିବେ। ତଦନ୍ତ ପରେ ଜିଲ୍ଲାପାଳ ମାମଲାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ସିପିସିଏକୁ ପଠାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.