ଏବେ ପୁଲିସକୁ ଜଗିଛନ୍ତି ଲୋକ- ଟ୍ରାଫିକ ନିୟମ ମାନୁ ନଥିବା ପୁଲିସଙ୍କ ଉପରେ ଫୋକସ କରୁଛନ୍ତି ମୋବାଇଲର କ୍ୟାମେରା

Published By : Prameya-News7 Bureau | September 10, 2019 IST

ଭୁବନେଶ୍ୱର - ଏବେ ପୁଲିସକୁ ଲୋକ ଜଗିଛନ୍ତି ।ଏପରି ଶୁଣିବାକୁ ଟିକେ ଅଡୁଆ ଲାଗୁଥିବା । କିନ୍ତୁ କଥାଟା ସତ । ଟ୍ରାଫିକ ନିୟମ ମାନ ନ ଥିବା, ବିନା ହେଲମେଟରେ ମଟର ସାଇକେଲ ଚଢୁଥିବା, ସିଟ ବେଲ୍ଟ ବାନ୍ଧି ନଥିବା ପୁଲିସ କର୍ମଚାରୀଙ୍କୁ ଉପରେ ଲୋକ ନିଜର ମୋବାଇଲ୍‌ର କ୍ୟାମେରା ଫୋକସ କରିବା ସହ ଏହି ଫଟୋକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ କରୁଛନ୍ତି । କେବଳ ସେତିକି ନୁହେଁ ଏମିତି ଫଟୋ ଓ ଭିଡିଓର ସତ୍ୟାସତ୍ୟକୁ ଅନୁସନ୍ଧାନ କରିବା ପରେ ପୁଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିଛି ।

{"id":155827,"width":546,"height":430}
Photo from social media

କେହି ବି ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ରାଜ୍ୟରେ ବିଭନ୍ନ ଏସ୍‌ପି ଓ କମିଶନରେଟ ପୁଲିସ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ଏପରି ୧୭ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋଟରଯାନ ଆଇନ ଅନୁସାରେ ତୁରନ୍ତ ଜରିମାନା ଆଦାୟ କରାଯାଉଛି ବୋଲି କମିଶନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

କଟକରେ ଜଣେ କନେଷ୍ଟବଳ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ତାଙ୍କର ଫଟୋ ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିଲା । ଏହାପରେ ତାଙ୍କୁ ଏକ ହଜାର ଟଙ୍କା ଜରିମାନା କରାଯାଇଛି ।କେହି ବି ଆଇନଠାରୁ ଊର୍ଦ୍ଧ୍ୱରେ ନୁହନ୍ତି ସମସ୍ତଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କମିଶନରେଟ୍‌ ପୁଲିସ ମୁଖପାତ୍ର ଶିଶିର ମିଶ୍ର କହିଛନ୍ତି । ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭୁବନେଶ୍ୱରରେ ଜଣେ ମହିଳା କନେଷ୍ଟବଳ ବିନା ହେଲମେଟ୍‌ରେ ଦ୍ରୁତ ଗତିରେ ସ୍କୁଟର ଚଳାଉଥିବା ଭିଜୁଆଲ୍‌ ଭାଇରାଲ୍‌ ହୋଇଛି । କମିସନରେଟ୍ ପୁଲିସ ପକ୍ଷରୁ ଏହାକୁ ଯାଞ୍ଚ କରାଯାଉଛି ।

ମଟରଯାନ ଆଇନ ଅନୁସାରେ ଆଇନକୁ ଲାଗୁ କରୁଥିବା ଅଧିକାରୀ କି କର୍ମଚାରୀ ଏହାର ଉଲ୍ଲଘଂନ କଲେ ଦୁଇଗୁଣା ଜରିମାନା ଦେବେ । ଏବେ ଲୋକ ହଠାତ୍‌ ଆଇନ ଉଲ୍ଲଘଂନ କରୁଥିବା ପୁଲିସ ଓ ଅନ୍ୟ ସରାକାରୀ ଅଧିକାରୀଙ୍କୁ ଜଗିବା ଆରମ୍ଭ କରିଛନ୍ତି । ଏବେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ପ୍ରତି ଲୋକ ଭୟ କରିବା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.