ନୂଆଦିଲ୍ଲୀ ୨୭।୧୧: ବିଶ୍ୱକୁ କରୋନା ଭାଇରସ ମହାମାରୀ ଆଗମନକୁ ବର୍ଷଟିଏ ପୁରିଲାଣି। ହେଲେ ଦୀର୍ଘ ଅବଧିରେ କୋଭିଡ-୧୯ ମୁକାବିଲା ଲାଗି ଏପର୍ଯ୍ୟନ୍ତ ନା ଚିକିତ୍ସା ବିକଶିତ ହୋଇପାରିଛି ନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଟିକାକରଣ ହେଲାଣି। କିଛି ଦେଶରେ କ୍ଲିନିକାଲ ଟ୍ରାଏଲର ସଫଳତା ପରେ ଔଷଧ ନିର୍ମାତା ଟିକା ଉତ୍ପାଦନ ଲାଗି ସରକାରୀ ନିୟନ୍ତ୍ରକଙ୍କ ଅନୁମୋଦନକୁ ଅପେକ୍ଷାରେ ଅଛନ୍ତି। ଏଥିରେ ଭାରତୀୟ ଆୟର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର)ଙ୍କ ପୂର୍ବତନ ମୁଖ୍ୟ ଡା. ରମନ ଗଙ୍ଗାଖେଡକରଙ୍କ ଏକ ଗଣମାଧ୍ୟମ ସାକ୍ଷାତକାର ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା କୋଭିଡ ମୁକାବିଲା ଲାଗି ଓଷଧ ଓ ସାବଧାନତା ସମ୍ପର୍କରେ କଣ କହିଛନ୍ତି ଡା. ଗଙ୍ଗାଖେଡକର।
ଭାରତରେ କରୋନା ଯୋଗୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କ ମୃତ୍ୟ ହେଲାଣି। ଦୈନିକ ହଜାର ହଜାର ଲୋକେ ସଂକ୍ରମିତ ହେଉଛନ୍ତି। ଏଥିରେ ସମସ୍ତଙ୍କର ଅପେକ୍ଷା ଏବେ କୋଭିଡ ଭେକ୍ସିନକୁ। ତେବେ ଉପୁଜିଥିବା ପରିସ୍ଥିତିରୁ କରୋନା ଟିକା ଆମକୁ ପୁଣି ସ୍ୱଭାବିକ ଜୀବନ ଫେରାଇ ଦେବକି ? ତାହା ହିଁ ହେଉଛି ବର୍ତ୍ତମାନ ସମୟର ଲକ୍ଷେଟଙ୍କାର ପ୍ରଶ୍ନ। ଡା.ଗଙ୍ଗାଖେଡକର ଏହାର ଏପରି ଜବାବ ରଖିଛନ୍ତି।
ଏବେ ମାସ୍କକୁ ଆମେ ଆମ ଜୀବନର ଏକ ଅଙ୍ଗମାନିନେବା ଉଚିତ ହେବ ବୋଲି କହିଛନ୍ତି ଡା. ଗଙ୍ଗାଖେଡକର। ସେହିପରି କରୋନା ଲାଗି ସରକାର ଯେତିକି ନିୟମ କରିଛନ୍ତି ସେତିକି ମାନି ଚଳିଲେ ହିଁ କରୋନାରେ ବି ଆମେ ସ୍ୱଭାବିକ ଜୀବନଯାପନ କରିପାରିବା ବୋଲି ସେ କହିଛନ୍ତି । ଏହି ମହାମାରୀରେ କୋଭିଡ ମାନକ ହିଁ ସବୁଠୁ ବଡ ଔଷଧ ବୋଲି କହିଛନ୍ତି ଆଇସିଏମଆର ପୂର୍ବତନ ମୁଖ୍ୟ।
କରୋନାରେ ଭେକ୍ସିନ ଏବେ ସବୁଠୁ ବଡ ପ୍ରସଙ୍ଗ ପାଲଟିଛି। ଶରୀରରେ ସ୍ପାଇକ୍ ପ୍ରୋଟିନ ବିକାଶରେ ପ୍ରାୟ ଭେକ୍ସିନ ସଫଳ ବୋଲି ଦାବି କରୁଛନ୍ତି। ତେବେ ଭାରତୀୟଙ୍କ ଲାଗି କୋଭିଡ ଟିକା ଏକ ପ୍ରସଙ୍ଗ ନୁହେଁ। ହେଲେ ଟିକା ବିକଶିତ ହୋଇ ସାରିଥିବାରୁ ଭାରତୀୟ ଆଷ୍ଟ୍ରାଜେନିକା ହେଉ ଅଥବା ମଡର୍ଣ୍ଣା କିମ୍ବା ସ୍ପୁଟିନିକ-୫ କେଉଁଟିକୁ ବି ଗ୍ରହଣ କରିପାରନ୍ତି। ଏପରି ଟିକାର ରକ୍ଷଣାବେକ୍ଷଣା ବାବଦ ଖର୍ଚ୍ଚ ଢେର କମ୍ ସାଧାରଣ ଘର ଫ୍ରିଜରେ ବି ଏହି ଟିକାକୁ ସଂରକ୍ଷଣ କରାଯାଇପାରେ ବୋଲି ସେ କହିଛନ୍ତି ।
ସେହିପରି ଶରୀରରୁ ଆଣ୍ଟିବଡି ହ୍ରାସର ଅର୍ଥ ନୁହେଁ ବ୍ୟକ୍ତି ହାଇ ରିସ୍କରେ ଅଛି। ଶରୀର ଜାଣେ ସଂକ୍ରମଣ ବିରୋଧରେ କିପରି ଲଢିବ। ଯେଉଁମାନେ ୧୦ ବର୍ଷ ପୂର୍ବେ ସାର୍ସରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ଶରୀର ଜାଣିଛି କିପରି ଆଣ୍ଟିବଡି ସୃଷ୍ଟି କରାଯାଇପାରେ। ଏଣୁ ସେମାନେ ଏବେ କମ୍ ରିସ୍କରେ ଅଛନ୍ତି। ଦ୍ୱିତୀୟବାର କୋଭିଡ ସଂକ୍ରମିତ ହେବାର ସମ୍ଭାବନା ପ୍ରାୟ ୫୦ ପ୍ରତିଶତପର୍ଯ୍ୟନ୍ତ ରହୁଛି। ଏଣୁ ଦେଶରେ ଟିକାକରଣ ହେଲେ ଅଧିକ ଔଷଧର ଆବଶ୍ୟକ ପଡିନପାରେ ବୋଲି ସେ କହିଛନ୍ତି ।
କୋଭିଡରେ ଭାରତୀୟ ପ୍ରଥମ ଥର ମାସ୍କ ପିନ୍ଧିବାରେ ଅଭ୍ୟସ୍ତ ହୋଇଛନ୍ତି। ଏବେ ଟିକା ଆସିସାରିଲାଣି। ହୁଏତ ଗୋଟିଏ ଟିକାରେ ଦେଶରୁ କୋଭିଡ ସବୁଦିନ ଲାଗି ହଟିଯାଇପାରେ। ହେଲେ କୋଭିଡ ଭଳି ଆଉ କିଛି ସଂକ୍ରମଣ ନ ଆସିବ ତାହା କିନ୍ତୁ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ଡା.ଗଙ୍ଗାଖେଡକର। ଏଣୁ ଏବେଠାରୁ ଆମେ ମାସ୍କକୁ ଆମ ଜୀବନର ଏକ ଅଙ୍ଗ କରିନେଲେ ଆଗକୁ ଉପୁଜିବାକୁ ଥିବା ଗୁରୁତର ସ୍ୱାସ୍ଥ୍ୟ ସଂକଟରୁ ଆମେ ରକ୍ଷା ପାଇପାରିବା ବୋଲି କହିଛନ୍ତି ।