ସୋମବାର ବି ଭାରତ-ପାକିସ୍ତାନ ମ୍ୟାଚ୍ରେ ବାଧକ ସାଜିବ ବର୍ଷା ! ସୋମବାର ଏମିତି ରହିବ କଲୋମ୍ବୋର ପାଣିପାଗ
10/09/2023 at 10:57 PM

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ବର୍ଷା ପିଛା ଛାଡ଼ୁନି। ପେଲ୍ଲେକେଲ୍ ପରେ ଏବେ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ବର୍ଷା ହେବାରୁ ରବିବାର ପୂରା ମ୍ୟାଚ୍ ଖେଳ ହୋଇ ପାରି ନାହିଁ। ଫଳରେ ଆସନ୍ତାକାଲି ରିଜର୍ଭ ଡେରେ ଅବଶିଷ୍ଟ ମୁକାବିଲା ଖେଳାଯିବ। ମ୍ୟାଚ୍ ସଂପୂର୍ଣ୍ଣ ୫୦ ଓଭର ଖେଳାଯିବ ଏବଂ ଭାରତର ଇନିଂସ ୨୪.୧ ଓଭରରୁ ଖେଳ ଆରମ୍ଭ ହେବ। ଆସନ୍ତାକାଲି ରିଜର୍ଭ ଡେରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ।
ତେବେ କଲୋମ୍ବୋରେ ସୋମବାର ମଧ୍ୟ ପାଣିପାଗ ଖରାପ ରହିଛି। Accuweatherର ରିପୋର୍ଟ ଅନୁଯାୟୀ, ଆସନ୍ତାକାଲି ବର୍ଷା ହେବାର ୯୯ ପ୍ରତିଶତ ଆଶଙ୍କା ରହିଛି। ଅର୍ଥାତ ମ୍ୟାଚ୍ ପୂରା ହେବାର ସମ୍ଭାବନା ଆଦୌ ନାହିଁ। ଦିନ ସାରା ବାଦଲ ଛାଇ ରହିବାର ଆଶଙ୍କା ୯୫ ପ୍ରତିଶତ ରହିଛି। ପବନର ବେଗ ଘଣ୍ଟାପ୍ରତି ୪୧ କିମି ରହିଛି। ଦିନର ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରହିବାର ପୂର୍ବାନୁମାନ କରାଯାଇଛି।
Also read- ପୁଣି ଥରେ ଆହତ ହେଲେ ଶ୍ରେୟସ ଆୟର, ପାକିସ୍ତାନ ବିପକ୍ଷରେ ଚୂଡ଼ାନ୍ତ ଏକାଦଶରୁ ପଡ଼ିଲେ ବାଦ୍
ଆସନ୍ତାକାଲି ଭାରତର ଇନିଂସ ୨୪.୧ ଓଭରରୁ ଅବଶିଷ୍ଠ ଖେଳ ଆରମ୍ଭ ହେବ। ପାଣିପାଗକୁ ଦେଖି କ୍ରିକେଟ୍ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ଯଦି ରିଜର୍ଭ ଡେରେ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୁଏ ତେବେ କଣ ହେବ ? ଏମିତି ସ୍ଥିତି ଉପୁଜିଲେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ।

ନିୟମ ଅନୁସାରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ଫଳାଫଳ ପାଇଁ ଦୁଇ ଇନିଂସରେ ଅତି କମରେ ୨୦-୨୦ ଓଭର ଖେଳାଯିବା ଜରୁରୀ। ରିଜର୍ଭ ଡେରେ ଯଦି ବର୍ଷା ହୁଏ ତେବେ ମୁକାବିଲାର ଫଳାଫଳ ପାଇଁ ପାକିସ୍ତାନକୁ ଅତି କମରେ ୨୦ ଓଭର ଖେଳାଇବାକୁ ପଡ଼ିବ। ଏହାପରେ ଡକ୍ ଓ୍ଵର୍ଥ ଲୁଇସ୍ ନିୟମରେ ଫଳାଫଳ ବାହାର କରାଯିବ। ସୋମବାର ଯଦି ପାକିସ୍ତାନ ୨୦ ଓଭର ଖେଳ ଖେଳି ନ ପାରେ ତେବେ ମ୍ୟାଚ୍ ରଦ୍ଦ ଘୋଷଣା କରାଯିବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ।
ପାକିସ୍ତାନ: ଫଖର ଜମାନ, ଇମାମ ଉଲ ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ, ଅଘା ସଲମାନ, ଇଫତିଖର ଅହମ୍ମଦ, ସଦାବ ଖାନ, ଫଇମ ଅସ୍ରଫ, ଶାହୀନ ଶାହ ଆଫ୍ରିଦି, ନସୀମ ଶାହ ଓ ହାରିସ ରଉଫ ।