ଏବେ ତାମିଲନାଡୁରେ ବଦାଉଁ ପରି ଅମାନୁଷିକ ଘଟଣା, ମନ୍ଦିର ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ

Published By : Prameya-News7 Bureau | January 08, 2021 IST

ନାଗପଟ୍ଟିନମ ୦୮।୦୧: ଉତ୍ତର ପ୍ରଦେଶର ବଦାଉଁରେ ଘଟିଥିବା ଅମାନୁଷିକ ଏବଂ ବର୍ବର ପରି ଘଟଣା ଏବେ ତାମିଲନାଡୁର ନାଗପଟ୍ଟିନମରେ ଘଟିଛି। ଏଠାରେ ମଧ୍ୟ ମନ୍ଦିରରେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଶ୍ରମିକ ଭାବେ କାମ କରୁଥିବା ଜଣେ ବିଧବା ମହିଳା ଏହାର ଶିକାର ହୋଇଛନ୍ତି।

ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ମହିଳାଙ୍କ ସହ ମନ୍ଦିରରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଶୁକ୍ରବାର ଏହାର ସୂଚନା ଦେଇଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ଗୁରୁବାର ରାତିରେ ଏହି ଦୁଇ ଜଣ ନିଜ ଭଉଣୀ ଘର ଅଭିମୁଖେ ଯାଉଥିବା ମହିଳାଙ୍କୁ ପିଛା କରିଥିଲେ। ଛୁରି ଦେଖାଇ ବଳପୂର୍ବକ ମନ୍ଦିର ଭିତରକୁ ଟାଣି ଆଣିଥିଲେ। ସେଠାରେ ଦୁଇ ଅଭିଯୁକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରି ଫେରାର  ହୋଇ ଯାଇଥିଲେ। ମହିଳାଙ୍କ ଶରୀରରେ ଅନେକ କ୍ଷତ ଲାଗିଛି ଏବଂ ସେ ଘଟଣାସ୍ଥଳରେ ଅଚେତ୍ ହୋଇ ପଡିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ଉଦ୍ଧାର କରି ନାଗପଟ୍ଟିନମ ଜିଲ୍ଲା  ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଉଭୟ ଅଭିଯୁକ୍ତ ମଦ ନିଶାରେ ଚୁର ଥିଲେ। ମନ୍ଦିର ଭିତରକୁ ଘୋଷାଡିବା ସହ ମାରପିଟ୍ କରିଥିଲେ ଏବଂ ଦୁଷ୍କର୍ମ କରିଥିଲେ। ଘଟଣା ବିଷୟରେ କାହା ଆଗରେ ନଜଣାଇବାକୁ ଧମକ ଦେଇଥିଲେ। ମହିଳାଙ୍କ ପାଖରେ ଯାହା ବି କିଛି ଟଙ୍କା ଥିଲା ତାହା ବି ଦୁଇ ଅଭିଯୁକ୍ତ ଲୁଟି ନେଇଥିଲେ। ପୁଲିସ ଘଟଣାର ତଦନ୍ତରେ ଜୁଟି ଯାଇଛି। ଦୁଇ ବର୍ଷ ତଳେ ପୀଡିତାଙ୍କ ସ୍ଵାମୀଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କର ଦୁଇ ଶିଶୁ ଅଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶନରେ ବଦାଉଁରେ ଗତ ଦିନରେ ମନ୍ଦିର ଭିତରେ ଜଣେ ମହିଳାଙ୍କ ସହ ସାମୂହିକ ଦୁଷ୍କର୍ମ ପରେ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ନିର୍ଭୟାକାଣ୍ଡକୁ ମନେଇ ପକାଇ ଦେଇଥିଲା। ମାମଲାରେ ମୁଖ୍ୟ ଅଭିଯୁକ୍ତ ମନ୍ଦିରର ପୂଜକ ଏବଂ ଅନ୍ୟଙ୍କୁ ପୁଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.