ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍ମେଣ୍ଟ ଟାକ୍ସ ଛାଡ଼ ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
22/03/2023 at 8:21 PM

ଭୁବନେଶ୍ୱର ୨୨/୦୩: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର (ଏଣ୍ଟରଟେନ୍ମେଣ୍ଟ ଟାକ୍ସ) ଛାଡ଼ କରିଛନ୍ତି। ବୁଧବାର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଖବର ଅନୁସାରେ, ଜଣେ ଖାଦ୍ୟ ଡେଲିଭରି ବୟ ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ୱରରେହିଁ ସୁଟିଂ କରାଯାଇଛି। ସେପଟେ ବୁଧବାର ନବୀନ ନିବାସରେ ନନ୍ଦିତା ଦାସଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ଫାଇବ୍ ଟି ସଚିବ ଭିକେ ପାଣ୍ଡିଆନ୍ ସ୍ପେଶିଆଲ୍ ସ୍କ୍ରିନିଂ ମାଧ୍ୟମରେ ଏହି ଫିଲ୍ମକୁ ଦେଖିଛନ୍ତି।

ଓଡ଼ିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରିବା ସହିତ ଏଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ୱରରେ ସୁଟିଂ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଲ୍ମ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିରେ ପ୍ରମୁଖ ଭୂମିକାରେ ହିନ୍ଦି ହାସ୍ୟ ଅଭିନେତା କପିଲ୍ ଶର୍ମା ଅଭିନୟ କରିଛନ୍ତି। ତାଙ୍କ ସହିତ ଅଭିନେତ୍ରୀ ଶାହାନା ଗୋସ୍ୱାମୀ, ଗୁଲ୍ ପାନାଗ୍, ସୟାନି ଗୁପ୍ତା, ସ୍ୱାନନ୍ଦ କିର୍କିରେ ଅନ୍ୟାନ୍ୟ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି।
Hon'ble CM Sri Naveen Patnaik joined a special screening event for the movie #Zwigato at Naveen Niwas this evening. This Nandita Das directed movie has entirely been shot in #Bhubaneswar. Famous actors #KapilSharma and Sahana Goswami are on the lead. #odisha pic.twitter.com/mQaNEt6WN3
— I & PR Department, Odisha (@IPR_Odisha) March 22, 2023
ସୂଚନାଥାଉକି, ଓଡ଼ିଆ ଝିଅ ତଥା ଫିଲ୍ମ ନିର୍ଦ୍ଦେଶିକା ନନ୍ଦିତା ଦାସ ଇନିସିଏଟିବ୍ ଏବଂ ଆପ୍ଲାଉସ୍ ଏଣ୍ଟରଟେନ୍ମେଣ୍ଟର ମିଳିତ ପ୍ରଯୋଜନାରେ ୨୦୨୨ରେ ଏହି ଫିଲ୍ମଟି ନିର୍ମାଣ କରାଯାଇଥିଲା। ଜଣେ ଖାଦ୍ୟ ଡେଲିଭରି ବୟ ଓ ତାଙ୍କ ପରିବାରର ସଂଘର୍ଷ ପୂର୍ଣ୍ଣ କାହାଣୀକୁ ଆଧାର କରି ଏହି ମୋଭିକୁ ତିଆରି କରାଯାଇଛି। ଏଥିରେ ନନ୍ଦିତା ଦାଶ ଉଭୟ କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହା ସହିତ ସମୀର ନାୟାର୍, ଦୀପକ୍ ସେଗଲ, ନନ୍ଦିତା ଦାସଙ୍କ ପ୍ରଯୋଜନାରେ କାହାଣୀଟି ସମୃଦ୍ଧ ହୋଇଛି। ସେହିପରି ସାଗର ଦେଶାଇଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ହିତେଶ ସୋନିକ୍ଙ୍କ କଣ୍ଠଦାନରେ ଫିଲ୍ମର ମ୍ୟୁଜିକ୍ ଦର୍ଶକଙ୍କ ମନକୁ ଛୁଇଁଛି।