୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 02, 2020 IST

ଭୁବନେଶ୍ବର ୨।୧୨: ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୋଲିସ ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ । ଏଣିକି ୧୧୨ରେ ପୋଲିସ ପକ୍ଷରୁ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ।

ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି । ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଥିରେ ୧୧୨ ସେବା ପାଇଁ ୪ ଜଣ ଡିଏସପି, ୧୫୧ ଜଣ ସବ୍‌ ଇନ୍ସପେକ୍ଟର, ୨୦୩ ଜଣ ସହକାରୀ ସବ୍ ଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ ।

ଏହା ବ୍ୟତୀତ ଆଉଟସୋର୍ସିଂ ଜରିଆରେ ୧୯୮ଜଣ କଲ୍ ଟେକର ଇକସିକ୍ୟୁଟିଭ ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବ । ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ। ଏହାଦ୍ବାରା ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.