ହିଣ୍ଡନବର୍ଗ ପରେ ଆଦାନୀ ଗ୍ରୁପକୁ କ୍ରେଡିଟ୍ ସୁଇସ୍ ଝଟକା, ପୁଣି ଖସିଲା ସେୟାର ମୂଲ୍ୟ
1/02/2023 at 7:36 PM

ମୁମ୍ବାଇ ୧।୨: ଆଦାନୀ ଗ୍ରୁପର କମ୍ପାନୀଙ୍କ ସେୟାର ବୁଧବାର ମଧ୍ୟ ହ୍ରାସରେ ବନ୍ଦ ହୋଇଛନ୍ତି। ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ମୂଲ୍ୟରେ ସର୍ବାଧିକ ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ଗ୍ରୁପଙ୍କ ସେୟାର ମୂଲ୍ୟରେ ଏପରି ହ୍ରାସ ବ୍ଲୁମବର୍ଗଙ୍କ ଏକ ରିପୋର୍ଟ ପରେ ଆସିଛି। ବ୍ଲୁମବର୍ଗ ରିପୋର୍ଟରେ କ୍ରେଡିଟ୍ ସୁଇସ୍ ଗ୍ରୁପ ଏଜି, ତାଙ୍କ ପ୍ରାଇଭେଟ୍ ବ୍ୟାଙ୍କିଙ୍ଗ କ୍ୱାଇଣ୍ଟସ୍ ରୁ ମାର୍ଜିନ ଲୋନ ଲାଗି ଏବେ କୋଲେଟ୍ରଲ ଭାବେ ଆଉ ଆଦାନୀ ଗ୍ରୁପ କମ୍ପାନୀଙ୍କ ବଣ୍ଡ ଗ୍ରହଣ କରୁ ନଥିବା କୁହାଯାଇଛି।
ବ୍ଲୁମବର୍ଗଙ୍କ ଏହି ରିପୋର୍ଟ ଅନୁସାରେ ସ୍ୱିଇସ୍ ଋଣଦାତା କ୍ରେଡିଟ୍ ସୁଇସ୍ ଗ୍ରୁପ ଏଜିଙ୍କ ପ୍ରାଇଭେଟ୍ ବ୍ୟାଙ୍କିଙ୍ଗ ୟୁନିଟି ଆଦାନୀ ପୋର୍ଟସ୍ ଏଣ୍ଡ ସ୍ପେଶାଲ ଇକୋନମିକ ଜୋନ, ଆଦାନୀ ଗ୍ରୀନ ଏନର୍ଜୀ ଓ ଆଦାନୀ ଇଲକ୍ଟ୍ରିସିଟି ମୁମ୍ବାଇ ଲମିଟେଡ ପକ୍ଷରୁ ବିକ୍ରି କରାଯାଇଥିବା ନୋଟସ୍କୁ ଜିରୋ ଲେଣ୍ଡିଂ ଭାଲ୍ୟୁ ଦେଉଛନ୍ତି। ପୂର୍ବରୁ କ୍ରେଡିଟ୍ ସୁଇସ୍ ଗ୍ରୁପଙ୍କ ଘରୋଇ ବ୍ୟାଙ୍କିଙ୍ଗ ୟୁନିଟି ଆଦାନୀ ପୋର୍ଟସ୍ଙ୍କ ନୋଟ୍ ଲାଗି ପାଖାପାଖି ୭୫ ପ୍ରତିଶତର ଲେଣ୍ଡିଂ ଭାଲ୍ୟୁ ଦେଉଥିଲେ।

କ୍ରେଡିଟ୍ ସୁଇସ୍ ଗ୍ରୁପ ଏଜି ସମ୍ପର୍କିତ ଖବର ସାମ୍ନାକୁ ଆସିବା ପରେ ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ବୁଧବାର କାରବାର କାଳରେ ୩୪.୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। କାରବାର ଶେଷ ବେଳକୁ ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ୨୮.୪୫ ପ୍ରତିଶତ ହ୍ରାସ ସହ ୨୧୨୮.୭୦ ଟଙ୍କା ସ୍ତରରେ ବନ୍ଦ ହୋଇଛି। ସେହିପରି ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ସେୟାର ପାଖାପାଖି ୨୦ ପ୍ରତିଶତ ହ୍ରାସ ସହ ୪୯୨.୧୫ ଟଙ୍କାରେ ବନ୍ଦ ହୋଇଛି। ଆଦାନୀ ଟୋଟାଲ ଗ୍ୟାସ୍ ର ସେୟାର ୧୦ ପ୍ରତିଶତ ଲୋଅର ସର୍କିଟ ସହିତ ୧୯୦୧.୬୫ ଟଙ୍କାରେ ବନ୍ଦ ହୋଇଛି।
ତେବେ କେବଳ ଏତିକି ନୁହେଁ ଆଦାନୀ ପାୱାର ସେୟାର ବୁଧବାର ୫ ପ୍ରତିଶତର ଲୋଅର ସର୍କିଟ୍ ସହିତ ୨୧୨.୭୫ରେ ବନ୍ଦ ହୋଇଛି। ଏଥିରେ ଆଦାନୀ ଗ୍ରିନ ଏନର୍ଜୀ ସେୟାର ମଧ୍ୟ ପାଖାପାଖି ୬ ପ୍ରତିଶତ ହ୍ରାସ ହୋଇ ୧୧୫୩.୩୫ରେ ବନ୍ଦ ହୋଇଛି। ଆଦାନୀ ୱିଲମର ସେୟାରରେ ମଧ୍ୟ ୫ ପ୍ରତିଶତ ଲୋଅର ସର୍କିଟ୍ ଲାଗିଥିବା ବେଳେ କମ୍ପାନୀର ସେୟାର ୪୪୩.୬୦ରେ ବନ୍ଦ ହୋଇଛି। ଏହା ଛଡା ଏସିସି ଲମିଟେଡ ସେଆରରେ ୬ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଅମ୍ବୁଜା ସିମେଣ୍ଟ ସେୟାର ମୂଲ୍ୟରେ ୧୭ ପ୍ରତିଶତ ହ୍ରାସ ଦେଖାଯାଇଛି।