କ୍ଷମତା ପରେ ଏବେ କଂଗ୍ରେସ ଦଳରେ ଅର୍ଥାଭାବ, ଘର ଘର ଯାଇ ଦାନ ମାଗିବାକୁ ପାର୍ଟିର ପ୍ରସ୍ତୁତି !

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ ୨୭।୫: କଂଗ୍ରେସ ଦଳ ରାଜନୈତିକ ସଙ୍କଟ ସହ ଆର୍ଥିକ ସଙ୍କଟ ଦେଇ ମଦ୍ୟ ଗତିକରୁଛି । ଶୁଣିବାକୁ ମିଳୁଛି ଯେ ଦଳ ଫଣ୍ଡ ଅଭାବର ସମ୍ମୁଖୀନ ହେଉଛି । ଏହା ମଧ୍ୟ କୁହାଯାଉଛି ଯେ, ଦଳ ଆର୍ଥିକ ସମସ୍ୟା ଦୂର କରିବା ପାଇଁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ଏମ୍)ର ପଦାଙ୍କ ଅନୁସରଣ କରିବାକୁ ମଧ୍ୟ ପ୍ରସ୍ତୁତି କରୁଛି । ଭାରତୀୟ ନିର୍ବାଚନ ଆୟୋଗରେ ଦାଖଲ ହୋଇଥିବା ଅଡିଟ୍ ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ, କଂଗ୍ରେସର ଆୟ ୨୦୨୦-୨୧ରେ ୫୮ ପ୍ରତିଶତରୁ କମ୍ ହୋଇଯାଇଛି ।

ଏକ ରିପୋର୍ଟ ଅନୁସାରେ କଂଗ୍ରେସ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଏହାର ମୁକାବିଲା ପାଇଁ କଂଗ୍ରେସ ବାମ ଦଳର କେରଳ ମଡେଲକୁ ଆପଣାଇବାକୁ ପ୍ରସ୍ତୁତି କରୁଛି । ଏହି ମଡେଲ ଆଧାରରେ ବାମ ଦଳ ଡୋର୍ ଟୁ ଡୋର୍ ଅଭିଯାନ ଚଳାଇଥାଏ, ଏହାଦ୍ବାରା ଦଳ ଅର୍ଥ ଏକଜୁଟ କରିଥାଏ । ଏହାସହ ଦାନକର୍ତ୍ତାଙ୍କୁ ଏହା ବଦଳରେ ସ୍ଲିପ୍ ମଧ୍ୟ ଦିଆଯାଇଥାଏ ।

ରିପୋର୍ଟ ଅନୁସାରେ ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ସିପିଆଇ(ଏମ୍)ର ମଡେଲକୁ ନେଇ ଚର୍ଚ୍ଚା କରାଯାଇଥିଲା । କେରଳ କଂଗ୍ରେସର ପୂର୍ବତନ ମୁଖ୍ୟ ରମେଶ ଚେନ୍ନିଥଲା ଏହି ମଡେଲକୁ ଅପଣାଇବାକୁ ପ୍ରସ୍ତାବ ଦେଇଥିଲେ । ଖବର ଅନୁସାରେ ଶିବିରରେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମ୍ବଳ ଯୋଗାଡ କରିବାକୁ ନେଇ ବିସ୍ତାର ଭାବେ ଚର୍ଚ୍ଚା କରାଯାଇଥିଲା ।

ଇସିଆଇରେ ଦାଖଲ କରାଯାଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ମସିହାରେ କଂଗ୍ରେସର ଆୟ ୨୮୫.୭ କୋଟି ଟଙ୍କା ଥିଲା । ଏହା ପୂର୍ବର ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬୮୨.୨ କୋଟି ଟଙ୍କା ଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ଦଳର ଆୟ ୯୧୮ କୋଟି ଟଙ୍କା ଥିଲା ।

ରିପୋର୍ଟ ଅନୁସାରେ, ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ ଦଳରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଅହମ୍ମଦ ପଟେଲ ତାଙ୍କ କର୍ପୋରେଟ୍ ଏବଂ ଅନ୍ୟାନ୍ୟ ଯୋଗାଯୋଗର ସାହାଯ୍ୟରେ ପାର୍ଟି ଫଣ୍ଡିଂର କାମ ସମ୍ଭାଳୁଥିଲେ । ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଆର୍ଥିକ ମୋର୍ଚ୍ଚା ଦେଖନ୍ତି । କିନ୍ତୁ ମୋଦି ସରକାରରେ କଂଗ୍ରେସର ଆୟ ଯଥେଷ୍ଟ ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.