ଭାରତୀୟ ସୀମାରେ ରେଳ ଲାଇନ୍ ବିଛାଇବ ଚୀନ୍, ଖୁବଶୀଘ୍ର ଆରମ୍ଭ କରିପାରେ ନିର୍ମାଣ କାର୍ଯ୍ୟ
1/11/2020 at 10:31 PM

ବେଜିଂ ୦୧/୧୧: ଲଦାଖ ସୀମାରେ ଲଗାତର ଅଶାନ୍ତି ସୃଷ୍ଟି କରିବାକୁ ପ୍ରଚେଷ୍ଟା କରୁଥିବା ଚୀନ ଏବେ ଭାରତ ସୀମାରେ ରେଳ ଲାଇନ୍ ବିଛାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଚୀନ ଦକ୍ଷିଣ ପଶ୍ଚିମର ସିଚୁଆନ୍ ପ୍ରାନ୍ତରେ ୟାନ୍ ଓ ତିବ୍ବତର ଲିଞ୍ଝି ମଧ୍ୟରେ ସିଚୁଆନ୍-ତିବ୍ବତ ରେଳ ପଥ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ଲିଞ୍ଝି ନୟିଂଗଶି ନାମରେ ମଧ୍ୟ ପରିଚିତ ଯାହାକି ଅରୁଣାଚଳପ୍ରଦେଶ ସୀମାରେ ଅବସ୍ଥିତ। ହିମାଳୟ ଅଞ୍ଚଳରେ ଚୀନ ଦ୍ବାରା ନିର୍ମିତ ୫ଟି ବିମାନ ବନ୍ଦର ମଧ୍ୟରୁ ଗୋଟିଏ ଲିଞ୍ଝିରେ ମଧ୍ୟ ଅଛି ।
ଚୀନର ସରକାରୀ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିକଟରେ ଚୀନରେ ଦୁଇଟି ସୁଡ଼ଙ୍କ ଓ ସେତୁ ନିର୍ମାଣ କାର୍ଯ୍ୟ ସହିତ ସିଚୁଆନ୍-ତିବ୍ବତ ରେଳ ଲାଇନ୍ ପାଇଁ ବିଦ୍ୟୁତ ଯୋଗାଣ ପାଇଁ ହୋଇଥିବା ଟେଣ୍ଡରରୁ ହିଁ ଜଣାପଡ଼ୁଛି ଚୀନ ଖୁବଶୀଘ୍ର ରେଳ ଲାଇନ୍ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ।
ତେବେ ଚିଙ୍ଘାଇ-ତିବ୍ବତ ରେଲପଥ ପରେ ସିଚୁଆନ୍-ତିବ୍ବତ ରେଳପଥ ଚୀନର ଦ୍ବିତୀୟ ପ୍ରକଳ୍ପ । ଏହା ଚିଙ୍ଘାଇ-ତିବ୍ଦତ ମାଳଭୂମିର ଦକ୍ଷିଣ ପୂର୍ବ ଦେଇ ନିର୍ମାଣ ହେବ। ଯାହାକି ପୃଥିବୀର ଭୌଗୋଳିକ ଦୃଷ୍ଟିକୋଣରୁ ସବୁଠାରୁ ସକ୍ରିୟ ଅଞ୍ଚଳ ବୋଲି ଜଣାଯାଏ।
ସିଚୁଆନ୍-ତିବ୍ବତ ରେଳ ଲାଇନ୍ ସିଚୁଆନ ପ୍ରାନ୍ତର ରାଜଧାନୀ ଚେଙ୍ଗଦୁରୁ ଆରମ୍ଭ ହେଉଛି। ଏହି ରେଳ ଲାଇନ୍ ଦ୍ବାରା ୟାନରୁ ତିବ୍ବତରେ ପ୍ରବେଶ କରି ଚେଙ୍ଗଦୁରୁ ହ୍ଲାସା ପର୍ଯ୍ୟନ୍ତ ଯାତ୍ରା ପାଇଁ ଲାଗୁଥିବା ୪୮ ଘଣ୍ଟା ଏବେ କେବଳ ୧୩ ଘଣ୍ଟା ଲାଗିବ ବୋଲି ଜଣାପଡ଼ିଛି।