ଡିଜିସିଏର ବଡ଼ ନିଷ୍ପତ୍ତି, ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏୟାରଲାଇନ୍ସଙ୍କୁ ଦେଲା ଏହି ଆଦେଶ

Published By : Prameya-News7 Bureau | April 23, 2024 IST

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ବଡ଼ ନିଷ୍ପତ୍ତି। ଏଣିକି ୧୨ ବର୍ଷ ପର୍ଯ୍ୟନ୍ତର ପିଲାଙ୍କୁ ମାତା-ପିତାଙ୍କ ସହିତ ମିଳିବ ସିଟ୍‌। ମଙ୍ଗଳବାର ଡଜିସିଏ ତରଫରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଏବେ ସମସ୍ତ ଏୟାରଲାନ୍ସଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ଉଡ଼ାଣ ସମୟରେ ୧୨ ବର୍ଷ ପର୍ଯ୍ୟନ୍ତର ପିଲାଙ୍କୁ ସେମାନଙ୍କ ମାତା-ପିତା କିମ୍ବା ଅଭିଭାବକଙ୍କ ମଧ୍ୟରେ ଅନ୍ତତଃ ଜଣକ ସହ ହିଁ ସିଟ୍‌ ମିଳିବା ଦରକାର। 

ପ୍ରକୃତରେ ବୈଶ୍ବିକ ସ୍ତରରେ ଏୟାରଲାଇନ୍ସରେ ମନପସନ୍ଦର ସିଟ୍‌ ବାଛିବା ପାଇଁ ଅଧିକ ଦେୟ ଦେବାକୁ ପଡ଼ିଥାଏ। ଆଉ ଯଦି ପାସେଞ୍ଜର ଏଭଳି କରୁନାହାଁନ୍ତି ତେବେ ସିଟ୍‌ ପ୍ରି-ବୁକ୍‌ ହୋଇପାରେ ନାହିଁ। ଏଭଳି ସ୍ଥିତିରେ ସମୂହ ଯାତ୍ରୀଙ୍କ ମଧ୍ୟରେ ପିଲାଙ୍କୁ ନିଜ ମାତା-ପିତା କିମ୍ବା ଅଭିଭାବକଙ୍କ ପାଖରେ ସିଟ୍‌ ମିଳିନଥାଏ। ଆଉ ପିଲାଙ୍କୁ ଅନେକ ସମୟରେ ଅଲଗା ବସିବାକୁ ପଡ଼ିଥାଏ।

ବାରମ୍ବାର ଏଭଳି ଅଭିଯୋଗ ମଧ୍ୟ ହୋଇଥିଲା ଯେ, ବିମାନ ଯାତ୍ରା ସମୟରେ ବିଶେଷ କରି ସମୂହରେ ବିମାନ ଯାତ୍ରା କରୁଥିବା ସମୟରେ ପିଲାଙ୍କୁ ଅଲଗା ବସାଯାଉଥିଲା। ଆଉ ଏହା ପୁଣି ସେତେବେଳେ ହେଉଥିଲା ଯେତେବେଳେ ଯଦି ଯାତ୍ରୀ ସିଟ୍‌ ପାଇଁ ଅତିରିକ୍ତ ଟଙ୍କା ଦେବାକୁ ମନା କରୁଥିଲେ। ନିକଟରେ ହିଁ ଏକ ମାମଲା ସାମ୍‌ନାକୁ ଆସିଥିଲା।ଯେଉଁଠାରେ ଜଣେ ପିଲାକୁ ସଂପୂର୍ଣ୍ଣ ବିମାନ ଯାତ୍ରା ତାଙ୍କ ବାପା-ମାଆଙ୍କ ଠାରୁ ଅଲଗା ବସି କରିବାକୁ ପଡ଼ିଥିଲା।

୨୦୨୪ ଏୟାର ଟ୍ରାନ୍ସପୋର୍ଟ ସର୍କୁଲାର (ଏଟିସି)-୦୧ ଅନୁଯାୟୀ ଏହି ଆଦେଶରେ କୁହାଯାଇଛି ଯେ, ୧୨ ବର୍ଷର ପିଲାଙ୍କୁ ତାଙ୍କ ମାତା-ପିତାଙ୍କ ମଧ୍ୟରୁ କେହି ଜଣକ ସହ ସିଟ୍‌ ଶେୟାରିଂ କରଯିବା ଦରକାର। ଏହି ନିୟମ ସେହି ସ୍ଥିତିରେ ଲାଗୁ ହେବ ଯେତେବେଳେ ପୂର୍ବରୁ ହିଁ ପିଲାଙ୍କ ସିଟ୍‌କୁ ମାତା-ପିତାଙ୍କ ସହ ଦିଆଯାଇନଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.