ମୁମ୍ବାଇ ୯।୬: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ସୋମବାର ସକାଳେ ଯାତ୍ରୀଭରା ଏକ ଚଳନ୍ତା ଟ୍ରେନରୁ ଖସିପଡିବା ଯୋଗୁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ପୋଲିସର ଜନୈକ ଅଧିକାରୀଙ୍କ ଅନୁସାରେ ଘଟଣାରେ ଅନ୍ୟ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ଘଣ୍ଟା ପରେ ରେଲୱେ ବୋର୍ଡ ଏକ ବଡ଼ ଘୋଷଣା କରିଛି। ରେଳବାଇ କାର୍ଯ୍ୟକାରୀ ନିର୍ଦ୍ଦେଶକ (ସୂଚନା ଏବଂ ପ୍ରସାର) ଦିଲ୍ଲୀପ କୁମାର କହିଛନ୍ତି ଯେ ମୁମ୍ବାଇ ଲୋକାଲର ସବୁ ନିର୍ମାଣାଧୀନ ରାକ୍ ରେ ଅଟୋମେଟିକ୍ ଦ୍ୱାର ଲଗାଯିବ।
ଅଧିକାରୀ ସୋମବାର ଏକ ବୟାନରେ କହିଛନ୍ତି ଯେ ମୁମ୍ବାଇ ଉପନଗରୀୟ ନିମନ୍ତେ ନିର୍ମାଣାଧୀନ ରେକ୍ ପାଇଁ ବନ୍ଦ ହୋଇପାରୁଥିବା ସ୍ୱଚାଳିତ ଦ୍ୱାର ରହିବାର ବ୍ୟବସ୍ଥା ହେବ। ସେହିପରି ଏବେ ଯାତ୍ରୀ ସେବା ଯୋଗାଇ ଦେଉଥିବା ମୁମ୍ବାଇ ଲୋକାଲ ଟ୍ରେନର ସବୁ ରେକ୍ କୁ ପୁଣି ଡିଜାଇନ କରାଯିବ ଓ ଏହି ସବୁ ରେକ୍ ରେ ଦ୍ୱାର ବନ୍ଦ କରିବା ପାଇଁ ସୁବିଧା ରହିବ। ସେପଟେ ଠାଣେ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଜନୈକ ବରିଷ୍ଠ ପୋଲିସ ଅଫିସର କହିଛନ୍ତି ଯେ ସମ୍ଭବତଃ ଅଧିକ ଭିଡ ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ।
ସୂଚନା ଅନୁସାରେ ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଟ୍ରେନ ଦିଭା ଓ କୋପର ରେଳ ଷ୍ଟେସନ ମଧ୍ୟ ଦେଇ କସରା ଯାଉଥିଲା। ଅଧିକାରୀ କହିଛନ୍ତି ଯେ ବ୍ୟସ୍ତତମ ସମୟରେ ଟ୍ରେନରେ ଅତ୍ୟଧିକ ଭିଡ ଥିଲା ଓ ଅନେକ ଯାତ୍ରୀ ଟ୍ରେନର ଦ୍ୱାର ନିକଟରେ ଛିଡା ହୋଇଥିଲେ। ଇତି ମଧ୍ୟରେ ଠାଣେ ଶିବସେନା ଲୋକସଭା ସାଂସଦ ନରେଶ ମହାସ୍କେ ଯାତ୍ରୀଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି। ସେ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ଯେ ଘଟଣାର କାରଣ ଜଣାପଡିବା ଦରକାର।