ଟେନିସ୍ ତାରକା ନୋଭାକ୍‌ ଜୋକୋଭିକ୍ ଗିରଫ, ହୋଟେଲରୁ ଉଠାଇନେଲା ପୋଲିସ !

Published By : Prameya-News7 Bureau | January 10, 2022 IST

ନୂଆଦିଲ୍ଲୀ ୧୦/୦୧ : ସର୍ବିୟାର ଷ୍ଟାର ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ଗିରଫ । କରୋନା ଟିକା ସହ ଜଡିତ ଏକ ମାମଲାରେ ଜୋକୋଭିକ୍‌ଙ୍କୁ ଗିରଫ କରିଛି ମେଲବର୍ଣ୍ଣ ପୋଲିସ । ମିଳିଥିବା ସୂଚନା ଅନୁସାରେ, କରୋନା ଭ୍ୟାକସିନ୍‌ ନନେଇ ନୋଭାକ୍‌ ଜୋକୋଭିକ୍‌ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ । ତେବେ ସେଠାରେ ପହଞ୍ଚିବା ପରେ ତାଙ୍କର ଭିସା ରଦ୍ଦ କରିଦିଆଯାଇଥିଲା । ତେବେ ଏହି ଘଟଣାରେ ଜୋକୋଭିକ୍‌ଙ୍କ ବିରୁଦ୍ଧରେ କୋର୍ଟରେ ମାମଲା ରୁଜୁ ହୋଇଥିଲା ।

ଜୋକୋଭିକ୍‌ଙ୍କ ପିତାଙ୍କ କହିବା ଅନୁଯାୟୀ, ଭ୍ୟାକସିନ୍‌ ସହ ଜଡିତ ମାମଲାରେ ବିଜୟୀ ହେବାପରେ ମଧ୍ୟ ପୋଲିସ ଜୋକୋଭିକ୍‌ଙ୍କୁ ଗିରଫ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆର କୌଣସି କର୍ତ୍ତୃପକ୍ଷ ଗିରଫ ନେଇ କୌଣସି ବୟାନ ଦେଇନାହାନ୍ତି । ଜୋକୋଭିକ୍‌ଙ୍କ ପିତା ସରଜାନ୍‌ ଜୋକୋଭିକ୍‌ କହିଛନ୍ତି ଯେ, ‘ଭିସା ସହ ଜଡିତ ଯେଉଁ ମାମଲା କୋର୍ଟରେ ରୁଜୁ ହୋଇଥିଲା ତାହା ସମାଧାନ ହୋଇସାରିଛି । କିନ୍ତୁ ତଥାପି ପୋଲିସ କାହିଁକି ଗିରଫ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାଇ ନାହିଁ । ସେପଟେ ଏ ନେଇ କୌଣସି ଅଧିକାରୀ ମଧ୍ୟ ବୟାନ ଜାରି କରିନାହାନ୍ତି’ ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅଷ୍ଟ୍ରେଲିଆର ଏକ ଅଦାଲତ ନୋଭାକ୍‌ ଜୋକୋଭିକ୍‌ଙ୍କ ଭିସା ରଦ୍ଦ କରିଦେଇଥିଲେ । ଅଭିଯୋଗ ଥିଲା, ସେ ଭ୍ୟାକସିନ୍‌ ନନେଇ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ । ସର୍କିଟ୍‌ କୋର୍ଟର ବିଚାରପତି ଏନ୍ଥୋନୀ କେଲୀ ସରକାରଙ୍କୁ ନିର୍ଦେଶ ଦେଇ କହିଥଲେ, ନିଷ୍ପତ୍ତି ନିଆଯିବାର ୩୦ ମିନିଟ୍‌ ମଧ୍ୟରେ ହିଁ ଜୋକୋଭିକ୍‌ଙ୍କୁ ମେଲବର୍ଣ୍ଣ ସ୍ଥିତ ପୃଥକବାସ ହୋଟେଲରୁ ବାହାର କରାଯାଉ । କୋର୍ଟଙ୍କ ନିର୍ଦେଶ କ୍ରମେ ତାଙ୍କୁ ସେ ରହୁଥିବା ହୋଟେଲରୁ ହିଁ ଗିରଫ କରାଯାଇଥିବା ଜଣାପଡିଛି ।

ସବୁଠାରୁ ବଡ କଥା ହେଉଛି ଯଦି ବିଶ୍ବର ଏହି ଷ୍ଟାର ଟେନିସ୍‌ ଖେଳାଳି ପୁଣିଥରେ ବାସନ୍ଦ ହୁଅନ୍ତି ତେବେ ଆସନ୍ତା ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ଓପନ୍‌ରୁ ବାହାର ହେବାକୁ ପଡିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.