କୁଖ୍ୟାତ ବିକିନି କିଲର ଚାର୍ଲ୍ସ ଶୋଭରାଜଙ୍କୁ ପଠାଗଲା ଫ୍ରାନ୍ସ, ନେପାଳ ଆସିବା ଉପରେ ଲାଗିଲା ଆଜୀବନ କଟକଣା

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: କାତାର ଏୟାରଓ୍ଵେଜର ବିମାନରେ କୁଖ୍ୟାତ ବିକିନି କିଲର ଚାର୍ଲ୍ସ ଶୋଭରାଜଙ୍କୁ ଫ୍ରାନ୍ସ ପଠାଯାଇଛି। ଶୁକ୍ରବାର ଚାର୍ଲ୍ସ ଶୋଭରାଜଙ୍କୁ ନେପାଳ ଜେଲ୍‌ରୁ ମୁକ୍ତ କରାଯାଇଛି ଏବଂ ଏବେ ତାଙ୍କୁ ଫ୍ରାନ୍ସ ପଠାଇବାକୁ ବ୍ୟବସ୍ଥା କରାଯାଇଛି। ୧୯୭୦ ଦଶନ୍ଧିରେ ଚାର୍ଲ୍ସ ଶୋଭରାଜ ଏସିଆର ଅନେକ ଦେଶରେ ହତ୍ୟା ସମେତ ଅନେକ ସଙ୍ଗୀନ ଅପରାଧରେ ସଂଶ୍ଳିଷ୍ଟ ଥିଲେ। ନେପାଳରେ ଚାର୍ଲ୍ସ ଶୋଭରାଜଙ୍କୁ ଜେଲ୍‌ରୁ ମୁକ୍ତ କରାଯିବାର କିଛି ଘଣ୍ଟା ପରେ ତ୍ରିଭୁବନ ବିମାନ ନିଆଯାଇଛି। ଭାରତୀୟ ଏବଂ ଭିଏତନାମର ମାତା-ପିତାର ସନ୍ତାନ ଚାର୍ଲ୍ସ ଶୋଭରାଜଙ୍କ ନିକଟରେ ଫ୍ରାନ୍ସର ନାଗରିକତା ରହିଛି।

ଚାର୍ଲ୍ସ ଶୋଭରାଜଙ୍କ ଓକିଲ ଗୋପାଳ ଶିବକୋଟି ଚିନ୍ତନ କହିଛନ୍ତି, ଚାର୍ଲ୍ସଙ୍କୁ କାତାର ଏୟାରଓ୍ଵେଜର ବିମାନରେ ଫ୍ରାନ୍ସ ପଠାଯାଉଛି। ପ୍ରଥମେ ତାଙ୍କୁ କାତାରର ରାଜଧାନୀ ଦୋହା ନିଆଯିବ। ପୁଣି ସେଠାରୁ ଅନ୍ୟ ଏକ ବିମାନରେ ପ୍ୟାରିସ୍ ପଠାଯିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାର୍ଲ୍ସ ଶୋଭରାଜଙ୍କ ଉପରେ ନେପାଳ ଆସିବା ଉପରେ ଆଜୀବନ କଟକଣା ଲଗାଯାଇଛି। ସେ ନିଜ ଜୀବନରେ ଆଉ କେବେ ବି ନେପାଳରେ ପ୍ରବେଶ କରି ପାରିବେ ନାହିଁ।

ଏହି କୁଖ୍ୟାତ ଅପରାଧି ଗଙ୍ଗାଲାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ଦାବି କରିଥିଲେ। ତାଙ୍କ କହିବା କଥା ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ୧୦ ଦିନ ରହିବାକୁ ଚାହୁଁଥିଲେ। କାରଣ ୨୦୧୭ରେ ଉକ୍ତ ହସ୍ପିଟାଲ୍‌ରେ ଚାର୍ଲ୍ସଙ୍କ ହାର୍ଟ ସର୍ଜରୀ ହୋଇଥିଲା। ବୁଧବାର  ନେପାଳର ସୁପ୍ରିମକୋର୍ଟ ଚାର୍ଲ୍ସ ଶୋଭରାଜଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ଏହା ବ୍ୟତୀତ ନ୍ୟାୟାଳୟ ୧୫ ଦିନ ଭିତରେ ତାଙ୍କୁ ଫ୍ରାନ୍ସ ପଠାଇବାକୁ ଆଦେଶ ଦେଇଥିଲେ। ତେବେ ଅଦାଲତ ଏହା ମଧ୍ୟ କହିଥିଲେ ଯେ, ଯଦି ତାଙ୍କ ବିରୋଧରେ ଅନ୍ୟ କୌଣସି କେସ୍ ରହିଛି ତେବେ ସେହି ସ୍ଥିତିରେ ତାଙ୍କୁ ଦେଶରେ ରୋକାଯାଇ ପାରିବ।

ଜଷ୍ଟିସ ସପନା ପ୍ରଧାନ ମଲ୍ଲା ଏବଂ ତିଲ୍ ପ୍ରସାଦ ଶ୍ରେଷ୍ଠଙ୍କ ପୀଠ କହିଥିଲେ, ଏବେ ଚାର୍ଲ୍ସ ଶୋଭରାଜଙ୍କୁ ମୁକ୍ତ କରିଦେବା ଉଚିତ୍। ସେ ନିଜ ସଜାର ୯୫ ପ୍ରତିଶତ ଜେଲ୍‌ରେ କାଟି ସାରିଛନ୍ତି। ତେବେ ଗୁରୁବାର ଜେଲ୍ କର୍ତ୍ତୃପକ୍ଷ ଚାର୍ଲ୍ସ ଶୋଭରାଜଙ୍କୁ ଔପଚାରିକ ପ୍ରକ୍ରିୟା ପୂରଣ ହୋଇନଥିବାରୁ ଜେଲ୍‌ରୁ ମୁକ୍ତ କରିନଥିଲେ। ଏହା ପରେ ଶୁକ୍ରବାର ଚାର୍ଲ୍ସଙ୍କୁ ଜେଲ୍‌ରୁ ଖଲାସ କରାଯାଇ ସିଧାସଳଖ ଫ୍ରାନ୍ସ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.