ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗ ନେଇ ସାଓମୀ ଇଣ୍ଡିଆକୁ ଇଡି ନୋଟିସ୍, ୩ ବିଦେଶୀ ବ୍ୟାଙ୍କ୍କୁ ବି କାରଣ ଦର୍ଶାଅ ନିର୍ଦ୍ଦେଶ
9/06/2023 at 10:47 PM

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗ କରି ସାଓମୀ ଟେକ୍ନୋଲୋଜୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ସାଓମୀର ବଡ଼ ବଡ଼ ଅଧିକାରୀ ଯଥା ସିଏଫ୍ଓ ତଥା ନିର୍ଦ୍ଦେଶକ ସମୀର ରାଓ, ପୂର୍ବତନ ଏମ୍ଡି ମନୁ ଜୈନ୍ଙ୍କ ସମେତ ଓ ୩ଟି ବିଦେଶୀ ବ୍ୟାଙ୍କକୁ ମଧ୍ୟ ନୋଟିସ୍ ହୋଇଛି। ଅଭିଯୋଗ ଅନୁସାରେ, ସାଓମୀ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରି ୫୫୫୧.୨୮ କୋଟି ଟଙ୍କାର କାରବାର କରିଛି।
ଏନେଇ ଇଡି ପ୍ରତିକ୍ରିୟା ଦେଇ କହିଛି ଯେ ଫରେନ ଏକ୍ସଚେଞ୍ଜ୍ ମ୍ୟାନେଜ୍ମେଣ୍ଟ ଆକ୍ଟ(ଫେମା) ନିୟମ ଅନୁସାରେ ନ୍ୟାୟିକ ପ୍ରାଧିକରଣ ସାଓମୀ ଟେକ୍ନୋଲୋଜୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍, ସିଟି ବ୍ୟାଙ୍କ, ଏଚ୍ଏସ୍ବିସି ବ୍ୟାଙ୍କ୍ ଓ ଡ୍ୟୁଚ୍ ବ୍ୟାଙ୍କ ଏଜି(Deutsche Bank AG)କୁ ନୋଟିସ୍ କରିଛି।

ପଢ଼ନ୍ତୁ –Xiaomiରୁ ମନୁ ଜୈନଙ୍କ ଇସ୍ତଫା, ୯ ବର୍ଷ ଧରି କମ୍ପାନୀରେ କରିଥିଲେ କାମ
ପୂର୍ବରୁ ଇଡି ବେଆଇନ ନେଣଦେଣ ଅଭିଯୋଗ କରି ସାଓମୀ ଆକାଉଣ୍ଟରେ ଥଇବା ୫,୫୫୧.୨୭ କୋଟି ଜବତ କରିନେଇଥିଲା। ଫେମା ଧାରା ୩୭ ଏ ଅନୁସାରେ ଏହି ରାଶି ଜବତ କରାଯାଇଥିଲା।
ଇଡିର କହିବା ମୁତାବକ ୫,୫୫୧.୨୭ କୋଟି ଟଙ୍କା ମୂଲ୍ୟରେ ବିଦେଶୀ ମୁଦ୍ରାକୁ ସାଓମୀ ଇଣ୍ଡିଆ ଦ୍ୱାରା ବେଆଇନ ଭାବେ ଭାରତରୁ ବାହାରକୁ ପଠାଯାଇଛି। ଏଥିରେ ଆଇନ୍ର ଉଲ୍ଲଂଘନ ହୋଇଛି। ଫେମାର ଧାରା ୩୭ଏରେ ଥିବା ପ୍ରବଧାନୀ ଅନୁସାରେ ଟଙ୍କାଗୁଡ଼ିକୁ ଜବତ କରାଯାଇପାରିବ।
ଏହି ଘଟଣାରେ ତଦନ୍ତ କରିସାରିବା ପରେ ଇଡି ନୋଟିସ୍ ଜାରି କରିଛି। ଦୋଷ ପ୍ରମାଣିତ ହେଲେ କମ୍ପାନୀକୁ ଭାରତ ସରକାରଙ୍କ ଦଣ୍ଡ ବିଧାନ ଅନୁସାରେ ଦଣ୍ଡ ଭୋଗିବାକୁ ପଡ଼ିବ। ପିଟିଆଇକୁ ସୂଚନା ଦେଇ କହିଛନ୍ତି ଇଡି ଅଧିକାରୀ।

ପଢ଼ନ୍ତୁ- ଲଗାତାର ଦୁଇ ସପ୍ତାହରେ ହ୍ରାସ ପରେ ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର, ୫୯୫.୦୬ ବିଲିୟନ ଡଲାରର ଫରେକ୍ସ ରିଜର୍ଭ