ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଧୀନ ଗାନ୍ଧୀ ମାର୍ଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ଗାନ୍ଧୀ ବିଚାରଧାରାକୁ ଉଜ୍ଜୀବିତ କରିବା ପାଇଁ ଏହି ଅବସରରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା କରାଯାଉଛି । ଏହି ପରିପ୍ରେକ୍ଷୀରେ ବଡ଼ଚଣା ବିଜେଡି ପକ୍ଷରୁ ବରୀ ଠାରୁ ସୋଲର, ପରେ ଛତିଆ ଦେଇ ଚମ୍ପାପୁରଠାରେ ଯାଏଁ ପଦଯାତ୍ରା କରାଯାଇଥିଲା।
ହେଲେ ଗାନ୍ଧୀ ଜୟନ୍ତୀରେ ବଡ଼ଚଣା ବିଜେଡି ୩ ଫାଳ ହୋଇଥିବା ଦେଖିବାକୁ ମିଳିଛି । କାରଣ ବଡ଼ଚଣାରେ ପଦଯାତ୍ରା ସମୟରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ। ଦଳୀୟ ନେତା ଓ କର୍ମୀ ଭିନ୍ନ ଗୋଷ୍ଠୀରେ ଆସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଛି । ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ସମର୍ଥକଙ୍କ ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ ପରେ ବିଧାୟିକା ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସମର୍ଥକ, ଏହା ପରେ ବ୍ଲକ୍ ସଭାପତି ଅରବିନ୍ଦ ସାମଲଙ୍କ ସହିତ ବହୁ ବିଜେଡି କର୍ମୀ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସେହିପରି କଂଗ୍ରେସରୁ ଆସିଥିବା ବିଜେଡି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କ ସମେତ ଶତାଧିକ କର୍ମୀ ପହଞ୍ଚି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ, ଏହି ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ମାର୍ଗରେ ସୋଲର ଛତିଆ ପରେ ଚମ୍ପାପୁର ଠାରେ ପହଞ୍ଚି ସେଠାରେ ଗାନ୍ଧୀ ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାନ୍ଧୀଙ୍କ ବିଚାରର ବାର୍ତ୍ତା ଦେଇ ଥିବା ଦେଖିବାକୁ ମିଳିଛି।