ସ୍କୁଲ୍‌ ଖୋଲିବା ଠାରୁ ନଖୋଲିବା ଆହୁରି ଭୟଙ୍କର, କଣ କହୁଛନ୍ତି ବିଶେଷଜ୍ଞ ?

Published By : Prameya-News7 Bureau | August 08, 2021 IST

ନୂଆଦିଲ୍ଲୀ ୮/୦୮: କରୋନା କାଳରେ ସ୍କୁଲ ଖୋଲିବା ଅପେକ୍ଷା ନଖୋଲିବା ମଧ୍ୟ ଅଧିକ ଭୟଙ୍କର। ସ୍କୁଲ ନଖୋଲିବା ଯୋଗୁଁ କେବଳ ଘରୋଇ ବାତବରଣ ବିଗୁଡ଼ିଛି ତା ନୁହେଁ ବରଂ ଘରୋଇ କାର୍ଯ୍ୟରେ ପିଲାମାନଙ୍କ ଭାଗିଦାରୀ ମଧ୍ୟ ବଢ଼ୁଛି। ଏମିତି ଭାବେ ପିଲାମାନେ ପାଠ ପଢ଼ାରୁ ଦୂରେଇ ଯାଉଛନ୍ତି। ଏ​‌ନେଇ ବିନୟ ପି ଶହସ୍ରବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଶିକ୍ଷା, ମହିଳା, ଯୁବ, ଶିଶୁ ଏବଂ ଖେଳ ଉପରେ ଗଠିତ ସଂସଦର ସ୍ଥାୟୀ ସମିତି ନିଜ ରିପୋର୍ଟରେ ଦର୍ଶାଇଛି ।

ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି, ବର୍ଷେରୁ ଅଧିକ ସମୟ ସ୍କୁଲ ବନ୍ଦ ହେବା ଯୋଗୁ ଛୋଟ ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ବିଗୁଡ଼ିଛି। ବଡ଼ ପିଲାମା​‌ନେ ଘରର ଚାରି କାନ୍ଥ ମଧ୍ୟରେ ରହିବା ସହ ମା-ବାପାଙ୍କ ସହ ସେମାନଙ୍କ ସମ୍ପର୍କ ଖରାପ ହେଉଛି। ଏପରିକି କମ୍‌ ବୟସରେ ଝିଅମାନଙ୍କ ବିବାହ ହୋଇଯାଉଛି। ବଡ଼ ପିଲାଙ୍କ ଉପ​‌ରେ ଘରୋଇ କାମର ବୋଝ ବଢ଼ୁଛି। ଏମିତି ନିମ୍ନ ମଧ୍ୟବତ୍ତ ଏବଂ ଗରିବ ପରିବାରରେ ଦେଖିବାକୁ ମିଳୁଛି । ତେଣୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ସମୟରେ ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ଜରୁରୀ।

ସମିତି ଦେଇଥିବା ରିପୋର୍ଟ ପରେ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି । ତେବେ ସ୍କୁଲ ଖୋଲିବା ପୂର୍ବରୁ ତର୍କପୂର୍ଣ୍ଣ ଦୃଷ୍ଟିକୋଣକୁ ଭୁଲି ଯିବ ଉଚିତ ନୁହେଁ ବୋଲି ଏଥିରେ ଉଲ୍ଲେଖ ରହିଛି। ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ପୂର୍ବରୁ କରୋନା ନିୟମକୁ ଭଲ ଭାବେ ଅନୁଧ୍ୟାନ କରିବା ସହ ମାସ୍କ, ସାମାଜିକ ଦୂରତା ଏବଂ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ବ ଦିଆଯିବା ଦରକାର ।

ବିଶେଷ କରି ଶିକ୍ଷକ ଏବଂ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ କରିବାକୁ ନେଇ ତ୍ବରିତ ପଦକ୍ଷେପ ନିଆଯିବା ଦରକାର ବୋଲି କୁହାଯାଇଛି। ଏହା ବ୍ୟତୀତ ସ୍କୁଲରେ କୌଣସି ପ୍ରକାର ପରିସ୍ଥିତି ସହ ମୁକାବିଲା କରିବାକୁ ପ୍ରତି ସ୍କୁଲ୍‌ରେ ଅତିକମ୍‌ରେ ପ୍ରଶିକ୍ଷିତ କର୍ମୀଙ୍କ ସହ ୧-୨ଟି ଅକ୍ସିଜେନ୍‌ କନସେନଟ୍ରେଟର ରହିବା ଦରକାର। ପ୍ରାଥମିକ ଚିକିତ୍ସା ସହ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ହେବ। ଏସବୁ ସତ୍ବେ ସ୍କୁଲ୍‌ରେ ସମସ୍ତ ପ୍ରକାର କରୋନା ପ୍ରୋଟୋକଲ୍‌ ପାଳନ କରିବାକୁ ସମିତି ପରାମର୍ଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.