କେବଳ ଡଗଆଉଟ୍ ନୁହେଁ, ଡ୍ରେସିଂ ରୁମରେ ବି କାନ୍ଦିଲେ ରୋହିତ ଶର୍ମା, ଜାଣନ୍ତୁ କିପରି ଥିଲା ପରାଜୟ ପରର ଦୃଶ୍ୟ ?

Published By : Prameya-News7 Bureau | November 11, 2022 IST

ନୂଆଦିଲ୍ଲୀ: ପୁଣି ଥରେ ଭାରତର ଟି-୨୦ ବିଶ୍ଵ କପ୍ ଜିତିବା ସ୍ଵପ୍ନ ଭାଙ୍ଗି ଚୁରମାର  ହୋଇଗଲା। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପ୍‌ର ସେମି ଫାଇନାଲ୍‌ରେ ଭାରତ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଏହି ପରାଜୟରେ ଭାଙ୍ଗି ପଡିଛନ୍ତି ଅଧିନାୟକ ରୋହିତ ଶର୍ମା। କେବଳ ଡଗଆଉଟ୍‌ରେ କାନ୍ଦି ନାହାନ୍ତି, ଏଥିସହ ଡ୍ରେସିଂ ରୁମ୍‌ରେ ବି ନିଜର କୋହ ସମ୍ଭାଳି ପାରି ନାହାନ୍ତି ରୋହିତ। କିଛି ସାଥୀ ଖେଳାଳି ରୋହିତଙ୍କୁ ଆଶ୍ଵସନା ଦେଇ ଶାନ୍ତ କରାଇଛନ୍ତି। ଏହା ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଛୋଟ ଭାଷଣ ଦେଇଛନ୍ତି ଏବଂ ଏହା ପରେ ଭାରତୀୟ ଅଧିନାୟକ ସମସ୍ତ ସାଥୀ ଖେଳାଳିଙ୍କୁ ନିଜ ହୃଦୟର କଥା କହିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଦ୍ରାବିଡ ନିଜ ଉଦବୋଧନରେ କହିଛନ୍ତି, ଦଳ ଭଲ କ୍ରିକେଟ୍ ଖେଳିଛି ଏବଂ ସମସ୍ତଙ୍କୁ ଏହା ଉପରେ ଗର୍ବ କରିବା ଉଚିତ୍ ଯେ, ଖେଳାଳିମାନେ ଏଥିପାଇଁ  କେତେ ପରିଶ୍ରମ କରିଛନ୍ତି। ରୋହିତ ଏତେ ଭାବୁକ ହୋଇ ପଡିଥିଲେ ଯେ, ଆରମ୍ଭରୁ କିଛି କହି ପାରିନଥିଲେ। ସମସ୍ତ ସାଥୀ ଖେଳାଳି ସାନ୍ତ୍ଵନା ଦେବା ପରେ ରୋହିତ ଖେଳାଳିଙ୍କୁ ସମ୍ବୋଧିତ କରିବା ସହ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ଟି-୧୦ ବିଶ୍ଵ କପ୍‌ରେ ଦଳ ଭଲ ପ୍ରଦର୍ଶନ କରିଛି। ଦଳର କିଛି ସଦସ୍ୟ କହିଛନ୍ତି ଯେ, ଏହା ପୂର୍ବରୁ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ହାରିଛି। ମାତ୍ର ରୋହିତଙ୍କୁ କେବେ ବି ଏତେ ଦୁଃଖିତ ଏବଂ ଭାବୁକ ଥିବା ଦେଖିନଥିଲୁ।

ପରସ୍ପରକୁ ଆଲିଙ୍ଗନ କଲେ ଖେଳାଳି

ଭାରତୀୟ ଦଳ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପାଇଁ ନିଜର ସାମଗ୍ରୀ ପ୍ୟାକ୍ କରୁଥିବା ବେଳେ ରାତିରେ ଦଳର ଅଫିସିଆଲ ହ୍ଵାଟ୍ସଆପ୍ ଗ୍ରୁପରେ ଏକ ମ୍ୟାସେଜ୍ ଆସିଥିଲା। ଏଥିରେ ସମସ୍ତ ଖେଳାଳିଙ୍କୁ ହୋଟେଲ୍‌ରେ ଏକ ଛୋଟ ମିଟିଂ ପାଇଁ ଏକତ୍ର ହେବାକୁ କୁହାଯାଇଥିଲା। ମିଟିଂରେ ସମସ୍ତ ଖେଳାଳି ପରସ୍ପରକୁ ଆଲିଙ୍ଗନ କରିଥିଲେ। ଦଳ ପ୍ରବନ୍ଧକ ମହମ୍ମଦ ସିରାଜ୍ ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ନେଟ୍ସରେ ଲଗାତାର ବୋଲିଂ କରିବା ନେଇ ଧନ୍ୟବାଦ ଜଣାଇଛନ୍ତି।

ରୋହିତଙ୍କ ଏହା ଶେଷ ବିଶ୍ଵ କପ୍ ହୋଇପାରେ

ଇଂଲଣ୍ଡଠୁ ମିଳିଥିବା ଶୋଚନୀୟ ପରାଜୟ ଖେଳାଳିଙ୍କୁ ବହୁତ ମର୍ମାହତ କରିଛି। କାରଣ ଭାରତୀୟ ଦଳ ସେମି ପୂର୍ବରୁ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା ଏବଂ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ଥିଲା। ମାତ୍ର ନକଆଉଟ୍‌ରୁ ହାରିବା ପରେ ସମସ୍ତ ପରିଶ୍ରମ ବୃଥା ଯାଇଛି। ରୋହିତ ଭାବବିହ୍ଵଳ ହେବାପଛର କାରଣ ବୋଧହୁଏ ତାଙ୍କର ଏହା ଶେଷ ଟି-୨୦ ବିଶ୍ଵ କପ୍‌। ତାଙ୍କୁ ବର୍ତ୍ତମାନ ୩୫ ବର୍ଷ ବୟସ ହୋଇଛି। ୨୦୨୪ ଟି-୨୦ ବିଶ୍ଵ କପ୍ ବେଳକୁ ତାଙ୍କର ବୟସ ୩୭ ବର୍ଷ ବୟସ ହୋଇଯାଇଥିବ। ତେଣୁ ତାଙ୍କର ଉକ୍ତ ବିଶ୍ଵ କପ୍‌ ଖେଳିବାର ସମ୍ଭାବନା ବହୁତ କମ। ରୋହିତ ୨୦୦୭ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଟି-୨୦ ବିଶ୍ଵ କପ୍ ବିଜୟୀ ଦଳର ସଦସ୍ୟ ଥିଲେ। ୧୫ ବର୍ଷ ପରେ ଏହି ଆଶା କରାଯାଉଥିଲା ଯେ, ନିଜ ଅଧିନାୟକତ୍ଵରେ ସେ ଦ୍ଵିତୀୟ ଥର ବିଶ୍ଵ  କପ୍ ଟ୍ରଫି ଉଠାଇବେ। ମାତ୍ର ଏମିତି ହୋଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.