କେବଳ ପେଟ୍ରୋଲ-ଡିଜେଲ୍ ନୁହେଁ, ଶସ୍ତା ହେବ ଷ୍ଟିଲ-ସିମେଣ୍ଟ, ଏମିତି ନିଷ୍ପତ୍ତି ନେଲେ ସରକାର
21/05/2022 at 10:14 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଡ ଆଶ୍ଵସ୍ତି ଦେଇ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଉପରେ ୬ ଟଙ୍କା କମ କରିଛନ୍ତି। ଏହି ହ୍ରାସ ପରେ ପେଟ୍ରୋଲ ଲିଟର ପ୍ରତି ୯.୫ ଟଙ୍କା ଶସ୍ତା ହୋଇଥିବା ବେଳେ ଡିଜେଲ୍ ସାତ ଟଙ୍କା କମ ହୋଇଛି।
ପେଟ୍ରୋଲ ଏବଂ ଡିଜେଲ୍ ବ୍ୟତୀତ ସରକାର ସିମେଣ୍ଟ, ଷ୍ଟିଲ୍ ଏବଂ ଲୁହା ଉପରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ମୂଲ୍ୟ ଉପରେ ନିୟନ୍ତ୍ରଣ ପାଇଁ ଲୁହା, ଷ୍ଟିଲ ଏବଂ ଏହାର କଞ୍ଚା ମାଲ ଉପରେ ସୀମା ଶୁଳ୍କରେ ପରିବର୍ତ୍ତନ କରିବେ। ଇସ୍ପାତର କିଛି ମାଲ୍ ଉପରେ ଆମଦାନୀ ଶୁଳ୍କ କମ କରାଯିବ। କିଛି ଇସ୍ପାତ ଉତ୍ପାଦ ଉପରେ ରପ୍ତାନୀ ଶୁଳ୍କ ଲାଗୁ କରାଯିବ। ସରକାର ପ୍ଲାଷ୍ଟିକ ଉତ୍ପାଦନ ପାଇଁ ଅଶୋଧିତ ସାମଗ୍ରୀ ଏବଂ ସୀମା ଶୁଳ୍କ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅନୁଯାୟୀ, ସିମେଣ୍ଟ ଦର କମ କରିବା ପାଇଁ ଉନ୍ନତ ଲଜିଷ୍ଟିକର ସାହାରା ନିଆଯିବ। ସିମେଣ୍ଟ ଯୋଗାଣ ବଢାଇବା ପାଇଁ ଉନ୍ନତ ମାନଦଣ୍ଡ ଲାଗୁ କରାଯିବ। ଏଥିରେ ସିମେଣ୍ଟ ଦାମ କମ ହେବ ବୋଲି ସରକାର କହିଛନ୍ତି।