ନୂଆଦିଲ୍ଲୀ: ବିବାହ ପାଇଁ ବର କିମ୍ବା କନ୍ୟା ଖୋଜିବା ପାଇଁ ସୋସିଆଲ ମିଡିଆ ଏକ ଭଲ ମାଧ୍ୟମ ପାଲଟିଛି। ଏଭଳି ଅନେକ ଉଦାହରଣ ରହିଛି ଯେଉଁଠାରେ ଦମ୍ପତି ସୋସିଆଲ ମିଡିଆାରେ ଦେଖା ହୋଇଛନ୍ତି ଏବଂ ପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ଏମିତି ବି ହେଉଛି ଯେ ସୋସିଆଲ ମିଡିଆରେ ବାପାମା ନିଜ ଝିଅ-ପୁଅଙ୍କ ବିବାହ ପାଇଁ ବିଜ୍ଞାପନ ବି ଦେଉଛନ୍ତି। ଆଉ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ବିବାହ ବିଜ୍ଞାପନ ଭାଇରାଲ ହେଉଛି ଯେଉଁଥିରେ ହେବାକୁ ଥିବା ଜୀବନ ସାଥୀଙ୍କ ବିଷୟରେ କିଛି ଅଜବ ସର୍ତ୍ତ ରଖାଯାଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଜ୍ଞାପନରେ କୁହାଯାଇଛି ଯେ ପାର୍ଟନରଙ୍କର ଦୁଇରୁ ଅଧିକ ଭାଇ ଭଉଣୀ ନଥିବା ଦରକାର। ବାର୍ଷିକ ଦରମା ମଧ୍ୟ ୩୦ ଲକ୍ଷରୁ କମ୍ ହୋଇନଥିବା ଦରକାର। ଏହା ସହ ପାର୍ଟନରଙ୍କ ଉଚ୍ଚତା ୫.୭ ରୁ ୬ ଫୁଟ୍ ମଧ୍ୟରେ ହୋଇଥିବା ଦରକାର। ଖାଲି ସେତିକି ନୁହେଁ ପାଠକୁ ନେଇ ମଧ୍ୟ ସର୍ତ୍ତ ରଖାଯାଇଛି। ଯେମିତିକି ଯଦି ଆଇଆଇଟି କରିଥିବେ ତାହେଲେ ଟପ୍ ପାଞ୍ଚ କଲେଜ ମଧ୍ୟରେ ରହିଥିବା ଆବଶ୍ୟକ। ଯଦି ଏନଆଇଟି ହୋଇଥିବ ସେଥିରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ କଲେଜ ହୋଇଥିବା ଦରକାର।
ଏହିଭଳି ଯଦି ଏମବିଏ ଡିଗ୍ରୀ ରହିଛି ତେବେ ସେଥିରେ ମଧ୍ୟ ଟପ୍ କଲେଜରୁ ହୋଇଥିବା ଦରକାର। ସେହିପରି ଚାକିରି ଦିଲ୍ଲୀ-ଏନସିଆର ହୋଇଥିବା ଦରକାର। ତେବେ ବର୍ତ୍ତମାନ ଏହି ବିଜ୍ଞାପନ ଟ୍ୱିଟରରେ ଭାଇରାଲ ହେଉଛି। ଏଥିରେ ଜାତି ଏବଂ ମାଙ୍ଗଳିକ ଉପରେ ମଧ୍ୟ ଉଲ୍ଲେଖ ରହିଛି। ଆଉ ଏହି ବିଜ୍ଞାପନକୁ ନେଇ ଅନେକ ୟୁଜର୍ସ କମେଣ୍ଟ କରୁଛନ୍ତି। ଅନେକ ୟୁଜର୍ସ ଏଭଳି ଆଶା ରଖିଲେ ବିବାହ କେମିତି ହେବ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ?