‘ସଚିବାଳୟ ଉଦ୍ଘାଟନରେ ମୋତେ ନିମନ୍ତ୍ରଣ ବି ଦିଆଯାଇ ନଥିଲା’, ବିରୋଧୀଙ୍କୁ ଆଇନା ଦେଖାଇଲେ ତେଲେଙ୍ଗାନା ରାଜ୍ୟପାଳ
25/05/2023 at 5:29 PM

ଚେନ୍ନାଇ: ଦେଶର ନୂତନ ସଂସଦ ଭବନ ଉଦ୍ଘାଟନକୁ ନେଇ ରାଜନୀତି ଜୋର ଧରିଛି । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ମଇ ୨୮ରେ ନୂତନ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅନେକ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନ ଉପରେ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀ ଦଳଗୁଡିକ ଏହାକୁ ରାଷ୍ଟ୍ରପତିଙ୍କ ଅପମାନ ବୋଲି କହୁଛନ୍ତି ।
ଅନ୍ୟପଟେ ଏବେ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ଏକ ବୟାନ ଦେଇଛନ୍ତି । ଚେନ୍ନାଇରେ ଏକ କାର୍ଯ୍ୟକ୍ରମ ସମୟରେ ରାଜ୍ୟପାଳ କହିଛନ୍ତି ଯେ ତେଲେଙ୍ଗାନା ସଚିବାଳୟ ଭବନର ଉଦଘାଟନ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ ବି ଦିଆଯାଇ ନଥିଲା ।
ରାଜ୍ୟପାଳ କହିଛନ୍ତି, ‘ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରାଜ୍ୟର ସଚିବାଳୟର ଭଗ୍ୟ ବିଲ୍ଡିଂର ଉଦଘାଟନ କରିଥିଲେ । ସେହି ସମୟରେ ସମସ୍ତେ ପ୍ରଶ୍ନ କରିଥିଲେ ଯେ କଣ ରାଜ୍ୟପାଳଙ୍କୁ ଆମନ୍ତ୍ରଣ କରାଯାଇଛି ? ଏହାପରେ ସେମାନେ କହିଥିଲେ ଯେ ନା, ସିଏମ୍ ଶାସନ କରୁଛନ୍ତି । ଉଦଘାଟନ ସମାରୋହ ପାଇଁ ମୋତେ ନିମନ୍ତ୍ରଣ ମଧ୍ୟ କରାଯାଇ ନଥିଲା । ବିରୋଧୀ କହୁଛନ୍ତି ଯେ ରାଷ୍ଟ୍ରପତି ଏକ ଅଣ-ରାଜନୈତିକ ବ୍ୟକ୍ତି, କିନ୍ତୁ ସେମାନେ ରାଜ୍ୟପାଳଙ୍କ ପାଇଁ ଏପରି କାହିଁକି କହୁନାହାନ୍ତି ?
#WATCH | #NewParliamentBuilding | Chennai, Tamil Nadu | Telangana Governor & Puducherry Lt Governor Tamilisai Soundarajan says, “Very Recently Telangana Secretariat was built magnificently, it was inaugurated by CM. Everyone questioned whether the Governor was invited. (They… pic.twitter.com/HBUWfyKZ0X
— ANI (@ANI) May 25, 2023
ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଇ ୨୮ରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ତେବେ ୧୯ ବିରୋଧୀ ଦଳ ଏହି ସମାରୋହକୁ ବହିଷ୍କାର କରିବା ନେଇ ଘୋଷଣା କରିଛନ୍ତି । ଅନ୍ୟପଟେ ଅକାଳୀ ଦଳ, ୱାଇଏସଆର କଂଗ୍ରେସ, ବିଜେଡି ଏବଂ ବିଏସପି ପରି ଦଳ ସରକାରଙ୍କ ସମର୍ଥନ କରିଛନ୍ତି ।