ଏହା ୧୯୬୨ର ଭାରତ ନୁହେଁ, ଧମକା ଯାଇ ପାରିବ ନାହିଁ…ତଓ୍ଵାଙ୍ଗ ପ୍ରସଙ୍ଗରେ ଚୀନକୁ ତିବ୍ବତ ନେତାଙ୍କ ଉପଦେଶ
17/12/2022 at 10:46 PM

ଜାମ୍ମୁ: ଏହା ୧୯୬୨ର ଭାରତ ନୁହେଁ, ଧମକା ଯାଇ ପାରିବ ନାହିଁ। ଚୀନ ଭାରତକୁ ଦୁର୍ବଳ ଭାବିବା ତାର ବଡ ଭୁଲ୍ ହେବ। ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗରେ ଭାରତୀୟ ସେନାର ଯବାନ ସହିତ ଚୀନ ସୈନିକଙ୍କ ସଂଘର୍ଷ ଏବଂ ଅନୁପ୍ରବେଶ ଉଦ୍ୟମ ଉପରେ ଏବେ ତିବ୍ବତର ନିର୍ବାସିତ ରାଷ୍ଟ୍ରପତି ପେନପା ସେରିଙ୍ଗ ଚୀନକୁ ଉପଦେଶ ଦେଇଛନ୍ତି। ସେରିଙ୍ଗ କହିଛନ୍ତି, ଚୀନ ଯଦି ଭାରତକୁ ଦୁର୍ବଳ ଭାବୁଛି ତେବେ ଏହା ତାର ମସ୍ତବଡ ଭୁଲ୍ ହେବ। ଭାରତକୁ ବର୍ତ୍ତମାନ ଧମକ ଦିଆଯାଇ ପାରିବ ନାହିଁ। ଭାରତ ବିରୋଧରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟରୁ ତାର ଅସୁରକ୍ଷା ଭାବନା ବାରି ହୋଇ ପଡୁଥିବା ପେନପା କହିଛନ୍ତି। ଚୀନର ମୁଖ୍ୟ ଉଦ୍ଦେଶ୍ୟ ଭାରତକୁ ଯେମିତି ହେଲେ ରୋକିବା ଯଦ୍ଵାରା ଏସିଆରେ ତାକୁ ଚ୍ୟାଲେଞ୍ଜ କରୁଥିବା କେହି ନରହିବେ ନାହିଁ।
ତିବ୍ବତ ନେତା ଜାମ୍ମୁ ବିଶ୍ଵ ବିଦ୍ୟାଳୟରେ ବୌଦ୍ଧ ଅଧ୍ୟୟନ ବିଭାଗର ସହଯୋଗରେ ଆୟୋଜିତ ଭାରତ ତିବ୍ବତ ସଂଘର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେରିଙ୍ଗ କାର୍ଯ୍ୟକ୍ରମ ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଭାରତ ବିରୋଧରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଏହା ତାର ଅସୁରକ୍ଷା ଭାବନାକୁ ସୂଚାଇ ଦେଉଛି।
ସେ ୨୦୨୦ରେ ଲଦାଖର ଗଲଓ୍ଵାନ ଘାଟି ଏବଂ ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ସେକ୍ଟରରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଛନ୍ତି ଚୀନ ଭାରତ ବିରୋଧରେ ଜାଣି ଶୁଣି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଉଛି। ବଡ କଥା ବାସ୍ତବରେ ଚୀନ ଯେଉଁଠି ଅନୁପ୍ରବେଶ କରିବାକୁ ଚାହୁଁଛି ସେଠାରେ ଲୋକେ ରହୁ ନାହାନ୍ତି। ଚୀନ କେବଳ ଭାରତ ସରକାରଙ୍କୁ ହଇରାଣ କରିବା ପାଇଁ ଏହି ଧରଣର ହୀନ କାମ କରୁଛି।
ସେ କହିଛନ୍ତି, ଯଦି ଚୀନ ଭାବୁଛି ଭାରତ ୧୯୬୨ ପରି ଦୁର୍ବଳ ତେବେ ତାହା ଭୁଲ୍। ଭାରତ ଦଶନ୍ଧିରେ ବହୁତ ବିକାଶ କରିଛି ଏବଂ ତାକୁ ଧମକ ଦିଆଯାଇ ପାରିବ ନାହିଁ। ଚୀନର ଅନୁପ୍ରବେଶର ମୁକାବିଲାକୁ ନେଇ କଂଗ୍ରେସ ଦ୍ଵାରା ଭାରତ ସରକାରଙ୍କ ସମାଲୋଚନା ବିଷୟରେ ପ୍ରଶ୍ନ ହେବାରୁ ସେ କହିଛନ୍ତି, ନେତାଙ୍କ ଭିନ୍ନ ଭିନ୍ନ ବିଚାର ହୋଇପାରେ ଏବଂ ବିରୋଧୀଙ୍କ କାମ ବିରୋଧ କରିବା। ଗଣତନ୍ତ୍ରରେ ରଚନାତ୍ମକ ସମାଲୋଚନାର ସର୍ବଦା ସ୍ଵାଗତ ବୋଲି ତିବ୍ବତର ନିର୍ବାସିତ ରାଷ୍ଟ୍ରପତି ପେନପା ସେରିଙ୍ଗ କହିଛନ୍ତି।