ଯୁଦ୍ଧ ଜାହାଜର ଇଞ୍ଜିନ ପାଇଁ ୟୁକ୍ରେନ୍ ଉପରେ ନିର୍ଭର ନ କରି ଆତ୍ମ ନିର୍ଭର ଭାରତ ଅଭିଯାନରେ ପୁଞ୍ଜି ନିବେଶ କରିବାକୁ କହିଲା ଋଷ

Published By : Prameya-News7 Bureau | August 15, 2022 IST

ମସ୍କୋ: ଯୁଦ୍ଧ ଜାହାଜର ଇଞ୍ଜିନ ପାଇଁ ୟୁକ୍ରେନ୍ ଉପରେ ନିର୍ଭର କରିବନି ଋଷ। ୟୁକ୍ରେନ୍ ଅପେକ୍ଷା ଭାରତରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛି ମସ୍କୋ। ସୋମବାର ଋଷିଆନ ୟୁନାଇଟେଡ୍ ଶିପ୍‌ବ୍ୟୁଲ୍ଡିଂ କର୍ପୋରେସନ(USC)ର ମୁଖ୍ୟ ଆଲେକ୍ସି ରଖମାନଭ ଏନେଇ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ୍ ହୋଇ ପୁଞ୍ଜି ନିବେଶ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।

ଏନେଇ ସେ କହିଛନ୍ତି “ ଯେବେ ଆମ ପାଖର ଯୁଦ୍ଧ ଜାହାଜ ଇଞ୍ଜିନ ନିର୍ମାଣ କରିବାର କ୍ଷମତା ଅଛି ତେବେ ଭାରତ କାହିଁକି ୟୁକ୍ରେନେ ଇଞ୍ଜିନ ଉପରେ ନିର୍ଭର କରୁଛି ଏକଥା ମୁଁ ଜାଣିପାରୁନି। ଆମେ ଆଉ ୟୁକ୍ରେନ୍ ଇଞ୍ଜିନ ଉପରେ ନିର୍ଭର ହେବୁ ନାହିଁ।” ମସ୍କୋରେ ଆୟୋଜିତ ଋଷି ପ୍ରତିରକ୍ଷା ପ୍ରଦର୍ଶନୀରେ ଯୋଗ ଦେଇ ଏପରି କହିଛନ୍ତି USC ଅଧ୍ୟକ୍ଷ।

ରାଡାର,ଭିଜୁଆଲ ଓ ସୋନାରର ଯୋଗେ ଚିହ୍ନଟ କରୁଥିବା ଯୁଦ୍ଧ ଜାହାଜକୁ ବିଜୁଳି ଯୋଗାଇବା ପାଇଁ ଭାରତ ୟୁକ୍ରେନ ପାଖରୁ ଯେଉଁ ଟର୍ବାଇନ ଇଞ୍ଜିନ କିଣୁଛି ତାକୁ ୟୁକ୍ରେନ୍ ଋଷ ସାହାଯ୍ୟରେ ବନାଉଛି। ଏହି ଇଞ୍ଜିନକୁ ଲକ୍ଷ୍ୟ ରଖି ଏପରି କହିଛନ୍ତି ଆଲେକ୍ସି।

ରିପୋର୍ଟ ଅନୁସାରେ, ଭାରତ ଓ ଋଷ ଉଭୟ ଦେଶ ନିଜର ନୌସେନା ପାଇଁ ମିଶି ଋଷର କଲିନିଙ୍ଗ୍ରାଡ୍‌ ବନ୍ଦରରେ ଆଡମିରାଲ ଗ୍ରିଗୋରଭିଚ୍-କ୍ଲାସ ଯୁଦ୍ଧ ଜାହାଜ ନିର୍ମାଣ କରୁଛନ୍ତି। ଏହି ପ୍ରୋଜେକ୍ଟ ପାଇଁ ଭାରତ-ଋଷ ମଧ୍ୟରେ ୨.୫ ବିଲିୟନ ଆମେରିକୀୟ ଡଲାର ଚୁକ୍ତି ହୋଇଛି। ରିପୋର୍ଟ ଅନୁସାରେ ନିକଟରେ ଭାରତ ୟୁକ୍ରେନ୍ ଠାରୁ ଟର୍ବାଇନ ଇଞ୍ଜିନ କିଣି ମିସାଇଲ ଗାଇଡେଡ୍ ଯୁଦ୍ଧ ଜାହାଜ ଆଡମିରାଲ ଗ୍ରିଗୋରଭିଚ୍-କ୍ଲାସରେ ଇନ୍‌ଷ୍ଟଲ କରିବାକୁ ଋଷକୁ ଦେଇଥିଲା।

ଏହି ପ୍ରୋଜେକ୍ଟରେ ଦୁଇଟି ଯୁଦ୍ଧ ଜାହାଜ ଋଷିଆରେ ନିର୍ମାଣ ହେଉଥିବା ବେଳେ ଆଉ ଦୁଇଟି ଋଷ ସହଯୋଗରେ ଭାରତର ଗୋଆ ବିମାନବନ୍ଦରରେ ନିର୍ମାଣ ହେଉଛି। ଭାରତ ଗୋଆରେ ତିଆରି ହେଉଥିବା ଗୋଟିଏ ଜାହାଜ ପାଇଁ ୟୁକ୍ରେନ୍ ଠାରୁ ଇଞ୍ଜିନ କିଣିଥିଲା। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ୍ ଏହାର ଡେଲିଭର ଦେଇ ନାହିଁ। ଆଉ ସେପଟେ  ୟୁକ୍ରେନ୍ର ଏହି ଇଞ୍ଜିନ ଉତ୍ପାଦନକାରୀ ସ୍ଥାନ ଉପରେ ମିସାଇଲ ମାଡ଼ କରିସାରିଛି। ଏପରି ସ୍ଥଳେ ଗୋଆରେ ତିଆରି ହେଉଥିବା ଦୁଇଟି ଜାହଜର ଭବିଷ୍ୟତ କଣ ହେବ ତାର ଉତ୍ତର କାହାକୁ ଜଣା ନାହିଁ।

ଭାରତକୁ ଯୁଦ୍ଧ ଜାହାଜ ଦେବାରେ ବିଳମ୍ବ ନେଇ ରଖମାନଭ କହିଛନ୍ତି ଯେ ପ୍ରଥମ ଜାହାଜଟି ୨୦୨୩ ନଭେମ୍ବର ମାସ ସୁଧା ହୋଇଯିବ। ଆଉ ଏହାର ୬ ମାସ ପରେ ଆଉ ଏକ ଜାହାଜ ଡେଲିଭରି ଦିଆଯିବ। ତେବେ କରୋନା ଓ ଯୁଦ୍ଧ ଯୋଗୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଡେଲିଭରି ସମୟରେ ବିଳମ୍ବ ହୋଇଛି। ତେଣୁ ଆମେ ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ଶୀଘ୍ର ଜାହାଜ ଦେବାକୁ ଚେଷ୍ଟା କରୁଛୁ ବୋଲି USC ମୁଖ୍ୟ ରଖମାନଭ କହିଛନ୍ତି।

ତେବେ ପୂର୍ବ ସୂଚନା ଅନୁସାରେ ଭାରତକୁ ପ୍ରଥମ ଯୁଦ୍ଧ ଜାହାଜ ଚଳିତ ବର୍ଷ ଶେଷ ବେଳକୁ ମିଳିବାର ଥିଲା। ହେଲେ ପ୍ରଥମ କରୋନା ଆଉ ଏବେ ୟୁକ୍ରେନ ସହ ଋଷର ଯୁଦ୍ଧ ଯୋଜନାରେ ବିଳମ୍ବ ଘଟାଉଛି। ସେହିପରି ଭାରତରେ ପୁଞ୍ଜି ନିବେଶ ନେଇ ରଖମାନଭ କହିଛନ୍ତି ଯେ USC ଭାରତରେ ପୁଞ୍ଜି ନିବେଶ କରିବାକୁ ଇଚ୍ଛୁକ ଅଛି। ଏଥିପାଇଁ ଉପକୂଳ ବନ୍ଦର ଖୋଜୁଛି। ଏମିତିକି ପିପଭଭ ଶିପୟାର୍ଡରେ ଋଷ ପୁଞ୍ଜି ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏହା ବର୍ତ୍ତମାନ ଦେବାଳିଆ ସ୍ଥିତିରେ ଥିବାରୁ ଋଷ ଏଥିରୁ ଦୂରେଇ ରହିଛି। ତେବେ ମେକ୍‌ ଇନ୍ ଇଣ୍ଡିଆ ଅଭିଯାନରେ ଭାଗିଦାରି ହେବାକୁ ଚାହୁଁଛୁ ବୋଲି  ୟୁଏସ୍‌ସି ଅଧ୍ୟକ୍ଷ ରଖମାନଭ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.