Norway Chess: ଓ୍ଵାର୍ଲ୍ଡ ଚାମ୍ପିଅନ ମାଗନସ କାର୍ଲସେନଙ୍କୁ ପୁଣି ଥରେ ହରାଇଲେ ବିଶ୍ଵନାଥନ ଆନନ୍ଦ, ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଲେ

Published By : Prameya-News7 Bureau | June 06, 2022 IST

ନୂଆଦିଲ୍ଲୀ; ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା ଦିଗଜ ଚେସ୍ ଖେଳାଳି ବିଶ୍ଵନାଥନ ଆନନ୍ଦ ପୁଣି ଥରେ ବିଶ୍ଵ ଚାମ୍ପିଅନ ମାଗନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି। ଆନନ୍ଦ ସୋମବାର ନରଓ୍ଵେ ଚେସ୍ ଟୁର୍ଣ୍ଣାମେଣ୍ଟରେ କ୍ଲାସିକଲ ବର୍ଗର ପଞ୍ଚମ ରାଉଣ୍ଡରେ କାର୍ଲସେନଙ୍କୁ ହରାଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନକୁ ଉଠିଛନ୍ତି। ରୋମାଞ୍ଚକର ଆର୍ମେଗଡନ ବା ସଡନ ଡେଥ ଗେମରେ ଆନନ୍ଦ କାର୍ଲସେନଙ୍କୁ ହରାଇଛନ୍ତି। ଏହା ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ଖେଳାଯାଇଥିବା ନିୟମିତ ବାଜିରେ ୪୦ ଚାଲ୍ ପରେ ମ୍ୟାଚ୍ ଡ୍ର ରହିଥିଲା।

ସଡନ ଡେଥ ଗେମରେ ୫୨ ବର୍ଷୀୟ ଆନନ୍ଦ ନିଜର ପୁରୁଣା ଯାଦୁ ଦେଖାଇ କାର୍ଲସେନଙ୍କୁ ୫୦ ଚାଲରେ ହରାଇଛନ୍ତି। ଏହି ବିଜୟ ସହ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କ ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିଛି। ଶୀର୍ଷରେ ଥିବା ଆନନ୍ଦଙ୍କୁ ଏବେ ଆହୁରି ଚାରୋଟି ରାଉଣ୍ଡ ଖେଳିବା ବାକି ରହିଛି। କାର୍ଲସେନ ୯.୫ ପଏଣ୍ଟ ସହ ବର୍ତ୍ତମାନ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ଖେଳୁଛନ୍ତି। ଆନନ୍ଦ କ୍ଲାସିକଲ ବର୍ଗର ପ୍ରାରମ୍ଭିକ ମ୍ୟାଚରେ ଫ୍ରାନ୍ସର ମ୍ୟାକ୍ସିମ ଓ୍ଵାଚିୟେର ଲାଗ୍ରେଭ, ବୁଲଗେରିଆର ଭେସେଲିନ ଟୋପାଲୋଭ ଏବଂ ଚୀନର ହାଓ ବ୍ୟାଙ୍ଗ ବିପକ୍ଷରେ ଲଗାତାର ତିନି ବାଜି ଜିତିଥିଲେ। ଏହି ପ୍ରତିଯୋଗିତାରେ ବ୍ଲିଟଜ ବର୍ଗରେ ଟାଇଟଲ୍ ଜିତିଥିବା ଅଜରବାଇଜାନର ଶଖ୍ରୀୟାର ମାମେଦ୍ୟାରୋଭ ତୃତୀୟ ସ୍ଥାନରେ ରହିଛନ୍ତି।

ଆନନ୍ଦ ନରଓ୍ଵେ ଚେସ୍ ଟୁର୍ଣ୍ଣାମେଣ୍ଟର ବ୍ଲିଟଜ ବର୍ଗରେ ମଧ୍ୟ ମାଗନସ କାର୍ଲସେନଙ୍କୁ ହରାଇଥିଲେ। ସେହି ସମୟରେ ଆନନ୍ଦ କାର୍ଲସେନଙ୍କୁ ହରାଇ ସପ୍ତମ ରାଉଣ୍ଡରୁ ପଞ୍ଚମ ବିଜୟ ହାସଲ କରିଥିଲେ। ଉଲ୍ଲେଖନୀୟ ନରଓ୍ଵେର ଚେସ୍ ଟୁର୍ଣ୍ଣାମେଣ୍ଟର କ୍ଲାସିକଲ ରାଉଣ୍ଡରେ ମୁକାବିଲା ଡ୍ର ରହିଲେ ସଡନ ଡେଥ୍ ରାଉଣ୍ଡ ଖେଳାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.