ବାଲିଷ୍ଟିକ ମିସାଇଲ ପ୍ରକ୍ଷେପଣ କଲା ଉତ୍ତର କୋରିଆ, ଆମେରିକା ଓ ଦକ୍ଷିଣ କୋରିଆ ସହ ବଢିପାରେ ଉତ୍ତେଜନା
2/03/2020 at 4:44 PM

ସିଓଲ ୦୨। ମାର୍ଚ୍ଚ- କିଛି ମାସର ନିରବତା ପରେ ଉତ୍ତର କୋରିଆର ସେନା ସ୍ଵଳ୍ପ ଦୂରଗାମୀ ଦୁଇଟି ବାଲିଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହାର ସୂଚନା ଦକ୍ଷିଣ କୋରିଆର ସେନା ଦେଇଛନ୍ତି। ଏହାର କିଛି ସପ୍ତାହ ପୂର୍ବେ ପ୍ୟୋଙ୍ଗୟଙ୍ଗ ନୂତନ ସମାରିକ ହତିଆରର ପରୀକ୍ଷଣ କରିବାକୁ ଧମକ ଦେଇଥିଲା ଏବଂ କହିଥିଲା ଯେ, ପ୍ରତିବନ୍ଧରୁ ଆଶ୍ଵସ୍ତି ଦେବା ପାଇଁ ଆମେରିକାକୁ ଦିଆଯାଇଥିବା ସମୟ ସୀମା ସମାପ୍ତ ହୋଇଛି। ଉତ୍ତର କୋରିଆର ଏହି ପରୀକ୍ଷଣ ପରେ ଆମେରିକା ଓ ଦକ୍ଷିଣ କୋରିଆ ସହିତ ଉତ୍ତେଜନା ବଢିବାର ସମ୍ଭାବନା ରହିଛି।
ପରମାଣୁ ଅସ୍ତ୍ର ଶସ୍ତ୍ର ସଂପନ୍ନ ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ତିନି ମାସରୁ ଅଧିକ ସମୟ ପରେ ହୋଇଛି ଏବଂ ଏହି ପରୀକ୍ଷଣ ଏମିତି ସମୟରେ ହୋଇଛି ଯେବେ ଆମେରିକା ସହିତ ଉତ୍ତର କୋରିଆର ଆଲୋଚନା ଅଧାରେ ଅଟକିଛି। ସିଓଲର ଜଏଣ୍ଟ ଚିଫ୍ ଅଫ ଷ୍ଟାଫ(ଜେସିଏସ) କହିଛି ଯେ, ଏହି ଦୁଇଟି ମିସାଇଲ ପୂର୍ବତଟ ସ୍ଥିତ ବୋନସନ ଇଲାକାରୁ ସମୁଦ୍ରରେ ପୂର୍ବ ଦିଗକୁ ନିକ୍ଷେପ କରାଯାଇଛି। ଏହି କ୍ଷେପଣାସ୍ତ୍ର ୩୫ କିଲୋମିଟର ଉଚ୍ଚତାରେ ୨୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସମର୍ଥ।
ଜେସିଏସର ଜଣେ ଅଧିକାରୀ କହିଛନ୍ତି, ଉତ୍ତର କୋରିଆ କରିଥିବା ପରୀକ୍ଷଣ ସ୍ଵଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ହୋଇଥିବା ଜଣା ପଡିଛି। ଦକ୍ଷିଣ କୋରିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ବ୍ଲ୍ୟୁ ହାଉସ୍ କହିଛି, ଦକ୍ଷିଣ କୋରିଆରର ସୁରକ୍ଷା ମନ୍ତ୍ରୀ ଏହାକୁ ନେଇ ଅତ୍ୟଧିକ ଚିନ୍ତା ପ୍ରକାଶ କରିଛନ୍ତି ଯେ, ଉତ୍ତର କୋରିଆ ପଡୋଶୀ ଦେଶ ମଧ୍ୟରେ ସୈନ୍ୟ ଉତ୍ତେଜନା ବୃଦ୍ଧି କରିବାର କାମ କରୁଛି।
ଜାପାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ଜଳ କ୍ଷେତ୍ରରେ କିମ୍ବା ବିଶିଷ୍ଟ ଆର୍ଥିକ କ୍ଷେତ୍ରରେ କୌଣସି ପ୍ରକାର ବସ୍ତୁ ଖସିବା କିମ୍ବା ଗତି କରିବାର ସଙ୍କେତ ମିଳିନାହିଁ। ମାତ୍ର ଜାପାନ ଏହା ମଧ୍ୟ କହିଛି ଉତ୍ତର କୋରିଆ ଦ୍ଵାରା ନିକଟରେ ବାରମ୍ବାର ବାଲିଷ୍ଟିକ ମିସାଇଲ କିମ୍ବା ଅନ୍ୟ ମିସାଇଲର ପ୍ରକ୍ଷେପଣ ଗମ୍ଭୀର ପ୍ରସଙ୍ଗ। ଏହି ପ୍ରକ୍ଷେପଣ ଏମିତି ସମୟରେ ହୋଇଛି ଯେବେ ପ୍ୟୋଙ୍ଗୟଙ୍ଗ କରୋନା ଭାଇରସ ପ୍ରକୋପର ମୁକାବିଲା ପାଇଁ ସଂଘର୍ଷ କରୁଛି।