ଭାରତର ଏହି ସହରରେ ନୋରୋଭାଇରସ ବିସ୍ଫୋରଣ, ୧୯ ଛାତ୍ର ହେଲେ ସଂକ୍ରମିତ, ଏମିତି ଦେଖାଦେଉଛି ଲକ୍ଷଣ

Published By : Prameya-News7 Bureau | January 23, 2023 IST

ନୂଆଦିଲ୍ଳୀ, ୨୩/୦୧: କେରଳରେ ନୋରୋଭାଇରସ ସଂକ୍ରମଣ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ପ୍ରଥମେ କେବଳ ଦୁଇଟି ମାମଲା ସାମ୍ନାକୁ ଆସିଥିବାବେଳେ ଏବେ ଏର୍ଣ୍ଣାକୁଲମ୍‌ରେ ୧୯ ଛାତ୍ର ନୋରୋଭାଇରସରେ ସଂକ୍ରମିତ ହୋଇଛନ୍ତି। ଯାହାକୁ ନେଇ ସ୍କୁଲ ପ୍ରଶାସନ ମଧ୍ୟ ଚିନ୍ତାରେ। ସତର୍କତା ଦୃଷ୍ଟିରୁ ପ୍ରଥମରୁ ପଞ୍ଚମ ଶ୍ରେଣୀକୁ ଅନଲାଇନ୍ ମୋଡ୍‌ରେ କରାଯାଇଛି। ସରକାର ନିଜ ସ୍ତରରେ କାମ ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି।

ସୂଚନାଅନୁଯାୟୀ, କେରଳରେ ନୋରୋଭାଇରସର ପ୍ରଥମ ମାମଲା ନଭେମ୍ବର ୨୦୨୧ ରେ ସାମ୍ନାକୁ ଆସିଥିଲା। ସେତେବେଳେ ଓ୍ବାଏନାଡରେ ଭେଟେନାରୀ କଲେଜ୍‌ର ୧୩ ଛାତ୍ର ଏହି ଭାଇରସ ଦ୍ବାରା ସଂକ୍ରମିତ ମିଳିଥିଲେ। ଏହି ସଂକ୍ରମଣରେ ଝାଡ଼ାବାନ୍ତି ମୁଖ୍ୟ ଲକ୍ଷଣ। କେହି ବ୍ୟକ୍ତି ନିଜ ଜୀବନ କାଳରେ ଅନେକ ଥର ଆକ୍ରାନ୍ତ ହୋଇପାରେ। କାରଣ ଏହାର ଅନେକ ପ୍ରକାର ରହିଥାଏ। ସଂକ୍ରମିତ ହେବାର ୧୨ ରୁ ୪୮ ଘଣ୍ଟା ପରେ ଏହାର ଲକ୍ଷଣ ଦେଖାଯାଇଥାଏ। ଅବଶ୍ୟ ଏକ ରୁ ତିନି ଦିନ ମଧ୍ୟରେ ଆଶ୍ବସ୍ତି ମିଳିବା ଆରମ୍ଭ ହୋଇଥାଏ।

ତେବେ ଏହି ନୋରୋଭାଇରସ ଖରାପ ଖାଦ୍ୟ, ପାଣିରୁ ବ୍ୟାପିପାରେ। ସେହିପରି ଯଦି ଆଖପାଖରେ ମଇଳା ପରିବେଶ ରହିଥିଲେ ମଧ୍ୟ ନୋରୋଭାଇରସ ବ୍ୟାପିବାର ବିପଦ ରହିଥାଏ। ନୋରୋଭାଇରସ ଦ୍ବାରା ସଂକ୍ରମିତ କେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ସଂକ୍ରମିତ  ହେବାର ଆଶଙ୍କା ବଢ଼ିଥାଏ।

ଡାକ୍ତରଙ୍କ ଅନୁଯାୟୀ ଯଦି କେହି ନୋରୋଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି ତେବେ ତାଙ୍କୁ ଦିନରେ ଅଧିକ ପାଣି ପିଇବା ଆବଶ୍ୟକ। ଏହାର କାରଣ ହେଉଛି ଏହି ଭାଇରସ ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଡିହାଇଡ୍ରେସନ ସମସ୍ୟା ବଢ଼ିଥାଏ। ଏହା ମଧ୍ୟ କୁହାଯାଇଛି ଯେ ଛୋଟ ପିଲାଙ୍କ ଠାରେ ଏହି ଭାଇରସ ଅଧିକ ଘାତକ ରୂପ ନେଇପାରେ। ସେହିଭଳି ଯଦି କେହି ପୂର୍ବରୁ କୌଣସି ରୋଗରେ ପୀଡ଼ିତ ସେମାନଙ୍କ ଠାରେ ଅଧିକ ଲକ୍ଷଣ ଦେଖାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.