ଅଦାଲତର ଖାଲି ପଦ ନଭରିବା ହିଁ ମାମଲା ପଡି ରହିବାର ପ୍ରମୁଖ କାରଣ, ସରକାରଙ୍କୁ CJIଙ୍କ ଆକ୍ଷେପ

Published By : Prameya-News7 Bureau | July 16, 2022 IST

ଜୟପୁର: ନ୍ୟାୟାଳୟରେ ବଢୁଥିବା ବିଚାରଧୀନ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମନା। ସେ କହିଛନ୍ତି ସରକାରଙ୍କ ଦ୍ଵାରା ଅଦାଲତର ଖାଲି ପଦ ନଭରିବା କୋର୍ଟରେ ବିଚାରଧୀନ ମାମଲା ସଂଖ୍ୟା ବଢିବାର ପ୍ରମୁଖ କାରଣ। ସିଜେଆଇଙ୍କ ଏହି ପ୍ରତିକ୍ରିୟା ଜୟପୁରରେ ଅଖିଳ ଭାରତୀୟ ଆଇନ ସେବା ପ୍ରାଧିକରଣର ବୈଠକରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ସମ୍ବୋଧନ ପରେ ଆସିଛି।

ସିଜେଆଇ ଏନଭି ରମନା କହିଛନ୍ତି, ଆମେ ବିଚାରପତିମାନେ ଯେବେ ଦେଶ ବାହାରକୁ ଯାଉଛୁ, ଆମକୁ ଗୋଟିଏ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି। ଗୋଟିଏ ମାମଲା କେତେ ବର୍ଷ ଚାଲିବ ? ଏହାର ଉତ୍ତର ଆମକୁ ଦେବାକୁ ପଡୁଛି। ରମନା କହିଛନ୍ତି, ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବାର କୌଣସି ଆବଶ୍ୟକତା ନାହିଁ। ବିଚାରଧୀନ ମାମଲାର ସଂଖ୍ୟା ବଢିବାର ଗୋଟିଏ କାରଣ ଅଦାଲତର ଖାଲି ପଦରେ ନିଯୁକ୍ତି କରାନଯିବା ଏବଂ ଭିତ୍ତିଭୂମିରେ ସୁଧାର ନକରିବା।

ସିଜେଆଇ ନିଜ ସମ୍ବୋଧନରେ କହିଛନ୍ତି, ନ୍ୟାୟପାଳିକା ଏହି ସବୁ ପ୍ରସଙ୍ଗର ସମାଧାନ କରିବାରେ ସର୍ବଦା ଆଗରେ ରହିଛି। ମୋର ଏକ ମାତ୍ର ଅନୁରୋଧ ସରକାରଙ୍କୁ ଖାଲି ପଦ ଭରିବା ସହିତ ଭିତ୍ତିଭୂମିରେ ସୁଧାର କରନ୍ତୁ। ଆଶା କରୁଛି ସରକାର ଏ ଦିଗରେ ଆହୁରି ଯତ୍ନବାନ ହେବେ। ସିଜେଆଇ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧୀକରଣର ଉଦାହରଣ ଦେଇ କହିଛନ୍ତି, ଗତ ବର୍ଷରେ ପ୍ରାୟ ୨ କୋଟି ମୋକଦ୍ଦମା ଏବଂ ଏକ  କୋଟି ବିଚାରଧୀନ ମାମଲାର ସମାଧାନ ହୋଇ ପାରିଛି।

ଜେଲରେ ଲଗାତାର ବଢୁଥିବା କଏଦୀଙ୍କ ସଂଖ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ସିଜେଆଇ କହିଛନ୍ତି, ଭାରତରେ ୧୩୭୮ ଜେଲରେ ୬.୧ ଲକ୍ଷ କଏଦୀ ଅଛନ୍ତି। ସେମାନେ ବାସ୍ତବରେ ଆମ ସମାଜର ସବୁଠୁ ଦୁର୍ବଳ ବର୍ଗ ମଧ୍ୟରୁ ଏକ। କଏଦୀ ସର୍ବଦା ଅଣଦେଖା ନାଗରିକ ହୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.