ଭାରତ ଗସ୍ତରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପାଇଁ ଦାବିଦାର ଅଜୟ ବଙ୍ଗା; ପିଏମ୍ ମୋଦୀ, ବିଦେଶ ମନ୍ତ୍ରୀଙ୍କୁ କରିବେ ସାକ୍ଷାତ

Published By : Prameya-News7 Bureau | March 23, 2023 IST

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପଦ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ନିଜ ପାଇଁ ସମର୍ଥନ ଯୋଗାଡ କରିବା ଉଦ୍ଦେଶ୍ୟରେ ସବୁ ଦେଶ ଭ୍ରମଣ କରୁଛନ୍ତି । ସେ ମାର୍ଚ୍ଚ ୨୩ ଏବଂ ୨୪ ଦୁଇ ଦିନ ଭାରତରେ ରହିବେ । ଏହି ସମୟରେ ସେ ପିଏମ୍ ନରେନ୍ଦ୍ର ମୋଦୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିବେ ।

ଭାରତ ପୂର୍ବରୁ ହିଁ ମାଷ୍ଟରକାର୍ଡର ପୂର୍ବତନ ସିଇଓଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେଇ ସାରିଛି । ଆମେରିକାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବଙ୍ଗା ଭାରତର ପ୍ରମୁଖ ନେତାଙ୍କ ସହ ହେବାକୁ ଥିବା ବୈଠକରେ ଭାରତର ବିକାଶ ପ୍ରାଥମିକତା, ବିଶ୍ୱ ସାମନାରେ ଥିବା ଆହ୍ୱାନ, ବିଶ୍ୱ ବ୍ୟାଙ୍କର ଭୂମିକା ଉପରେ ଆଲୋଚନା କରିବେ । ବଙ୍ଗାଙ୍କ ଦାବିଦାରୀ ଉପରେ ଯଦି ମୋହର ବାଜେ ତେବେ ଦୁନିଆର ଏହି ସବୁଠୁ ବଡ଼ ଆର୍ଥିକ ସଂସ୍ଥାର ସର୍ବୋଚ୍ଚ ପଦରେ ବସିବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ହେବେ ।  

ଅଜୟ ବଙ୍ଗା ଏପରି ଏକ ସମୟରେ ବିଶ୍ୱ ବ୍ୟାଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି ଯେତେବେଳେ ଭାରତ ଲଗାତାର ଏହି ବ୍ୟାଙ୍କର ଭୂମିକାରେ ପରିବର୍ତ୍ତନ ପାଇଁ ସବୁ ମଞ୍ଚରେ ସ୍ୱର ଉଠାଉଛି । ବିଶ୍ୱ ବ୍ୟାଙ୍କର ପରିଚାଳନା ଏବଂ କିଛି ବଡ଼ ଦେଶର ଏହା ଉପରେ ଅଧିକାର ସାବ୍ୟସ୍ତ କରୁଛନ୍ତି ତାକୁ ନେଇ ଭାରତ ଆପତ୍ତି ଉଠାଇ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.