କେହି ଭୋକିଲା ନ ଶୁଅନ୍ତୁ, ଶେଷ ବ୍ୟକ୍ତିଙ୍କ ନିକଟରେ ଖାଦ୍ୟାନ୍ନ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: କେହି ଯେପରି ଭୋକିଲା ଶୋଇବ ନାହିଁ ତାହା ସୁନିଶ୍ଚିତ କରିବା ହେଉଛି ଆମ ସଂସ୍କୃତି । ମଙ୍ଗଳବାର ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ହିତାଧିକାରୀଙ୍କ ନିକଟରେ ଖାଦ୍ୟଶସ୍ୟ ଯେପରି ପହଞ୍ଚିବ ତାହା ତଦାରଖ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏମ.ଆର ଶାହ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏହା ଉପରେ ଫ୍ରେସ୍ ଚାର୍ଟ ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ପ୍ରବାସୀ ଏବଂ ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ କହିଛନ୍ତି, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ଖାଦ୍ୟାନ୍ନ ଶେଷ ମଣିଷ ପାଖରେ ଯେପରି ପହଞ୍ଚିବ ତାହା ଦେଖିବା କେନ୍ଦ୍ରର ଦାୟିତ୍ୱ । ଆମେ କହୁନୁ ଯେ କେନ୍ଦ୍ର ସରକାର କିଛି କରୁ ନାହାନ୍ତି, ଭାରତ ସରକାର କୋଭିଡ ସମୟରେ ଲୋକଙ୍କ ନିକଟରେ ଖାଦ୍ୟଶସ୍ୟ ପହଞ୍ଚାଇଛନ୍ତି । ଏହା ଯେପରି ଜାରି ରହିବ ତାହା ଆମକୁ ଦେଖିବାକୁ ପଡିବ । କେହି ଯେପରି ଖାଲି ପେଟରେ ଶୋଇବନି ତାହା ଆମ ସଂସ୍କୃତି । ତିନି ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ, ହର୍ଷ ମନ୍ଦର ଏବଂ ଜଗଦୀପ ଛୋକରଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ୨୦୧୧ର ଜନଗଣନା ପରେ ଦେଶର ଜନସଂଖ୍ୟା ବୃଦ୍ଧି ହୋଇଛି ଏବଂ ଏନଏଫଏସଏ ଜରିଆରେ ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢିଛି । ସେ କହିଛନ୍ତି ଯଦି ଏହାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରା ନଯାଏ ତେବେ ପ୍ରକୃତ ହିତାଧିକାରୀ ଏହାର ଲାଭରୁ ବଞ୍ଚିତ ହୋଇଯିବେ ।

ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସରକାରଙ୍କ ଦାବି ପ୍ରତିବର୍ଷ ଲୋକଙ୍କ ମୁଣ୍ଡପିଛା ଆୟରେ ବୃଦ୍ଧି ଘଟିଛି, କିନ୍ତୁ ଭାରତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଦ୍ରୁତ ଗତିରେ ତଳକୁ ଖସୁଛି । କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶର୍ଯ୍ୟା ଭଟୀ କହିଥିଲେ, ଏନଏଫଏସଏ ଅଧିନରେ ୮୧.୩୫ କୋଟି ଲାଭାର୍ଥୀ ଅଛନ୍ତି, ଏହା ଏକ ବହୁତ ବଡ଼ ସଂଖ୍ୟା ଅଟେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.