ଭାବବିହ୍ୱଳ ହେଲେ ନୋବେଲ ବିଜୟିନୀ: ମାଆଙ୍କ ଇଚ୍ଛାକୁ କଲେ ପୂରଣ
2/10/2023 at 11:19 PM

ନୂଆଦିଲ୍ଲୀ,୨/୧୦: ସ୍ୱିଡେନର କାରୋଲିନ୍ସ୍କା ଇନଷ୍ଟିଚ୍ୟୁଟ୍ ପକ୍ଷରୁ ମେଡିସିନ୍ରେ ନୋବେଲ ପୁରସ୍କାର-୨୦୨୩ ଘୋଷଣା କରାଯାଇଛି। ହଙ୍ଗେରୀ ଜନ୍ମିତ ଚିକିତ୍ସା ବିଜ୍ଞାନୀ କାଟାଲିନ କାରିକୋ ଏବଂ ଆମେରିକୀୟ ଡ୍ରୁ ଓ୍ବେଜ୍ମ୍ୟାନ୍ଙ୍କୁ ଏହି ପୁରସ୍କାର ମିଳିବ। କୋଭିଡ-୧୯ ଭାଇରସର ଭାକ୍ସିନ ବିକାଶରେ ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଫଳପ୍ରଦ ହୋଇଥିବାରୁ ସେମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ତେବେ ଏକ୍ସରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କାଟାଲିନ ଭାବବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସେ ତାଙ୍କ ମାଆଙ୍କ କଥା ମନେପକେଇଛନ୍ତି। ଝିଅ ନୋବେଲ୍ ପାଇବ ବୋଲି ପ୍ରତିବର୍ଷ ଚାହିଁରହୁଥିଲେ କାଟାଲିନଙ୍କ ମାଆ। ଆଉ ଶେଷରେ ତାଙ୍କରି ଇଚ୍ଛାକୁ ପୂରଣ କରିଛନ୍ତି।
ସେ କହିଛନ୍ତି ଯେ ପ୍ରତିବର୍ଷ ଅକ୍ଟୋବରରେ ନୋବେଲ୍ ପୁରସ୍କାର ଦିଆଯାଇଥାଏ। ପ୍ରତିବର୍ଷ ଅକ୍ଟୋବରରେ ମୋ ମା ଚାହିଁ ରହିଥାନ୍ତି। ଆଉ କୁହନ୍ତି ମୁଁ ରେଡିଓ ଶୁଣୁଥିଲି, କାଳେ ତୁମକୁ ନୋବେଲ୍ ପ୍ରାଇଜ୍ ମିଳିବ। ମୁଁ ମାଆଙ୍କୁ କହେ ମାଆ ତୁମେ ଜାଣିଥିବ ମୋତେତ କେବେବି ଗୋଟିଏ ମିଳିନି। କିନ୍ତୁ ସେ କୁହେ, ତୁ ପରିଶ୍ରମ କରୁଛୁ, ପାଇବୁ ନାହିଁ କାହିଁକି? ମୁଁ କହେ ଏମିତି ବୈଜ୍ଞାନିକ କଠିନ ପରିଶ୍ରମ କରୁଛନ୍ତି।’
Congrats to #NobelPrize Laureates Dr. Katalin Karikó and Dr. Drew Weissman, awarded the 2023 @NobelPrize in Physiology or Medicine for their work which led to the development of the #mRNA COVID vaccines. @kkariko @WeissmanLab
— Penn Medicine (@PennMedicine) October 2, 2023
Learn more: https://t.co/oXlxRHPrye pic.twitter.com/FTLrPevR7M
୧୯୫୫ ମସିହାରେ ହଙ୍ଗେରୀର ସୋହନକରେ କାଟାଲିନା କାରିକୋଙ୍କ ଜନ୍ମ । ସେ ବର୍ତ୍ତମାନ ହଙ୍ଗେରୀର ସେଗେଦ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ପେନ୍ସିଲଭାନିଆ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ପେରେଲମ୍ୟାନ ସ୍କୁଲ୍ ଅଫ୍ ମେଡିସିନରେ ମଧ୍ୟ ଅଧ୍ୟାପନା କରୁଛନ୍ତି। ସେହିପରି ତାଙ୍କ ସହ ଚଳିତ ବର୍ଷର ମେଡିସିନ୍ ନୋବେଲ ଭାଗ କରିଥିବା ଆମେରିକୀୟ ଡ୍ରିୟୁ ଓ୍ବେଜମ୍ୟାନ୍ ଭାକ୍ସିନ ରିସର୍ଚ୍ଚରେ ରବର୍ଟ୍ସ ଫ୍ୟାମିଲି ପ୍ରଫେସର ତଥା ପେନ ଇନ୍ଷ୍ଟିଚ୍ୟୁଟ୍ ଫର୍ ଆରଏନଏ ଇନୋଭେସନ୍ସର ନିର୍ଦ୍ଦେଶକ ଭାବରେ କାମ କରୁଛନ୍ତି।
ଅଧିକ ପଢନ୍ତୁ- ଚିିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା: କୋଭିଡ-୧୯ ଭାକ୍ସିନ ବିକାଶ ପାଇଁ କାଟାଲିନ୍ କାରିକୋ ଏବଂ ଡ୍ରିୟୁ ଓ୍ବେଜମ୍ୟାନଙ୍କୁ ପୁରସ୍କାର
ଦୁଇ ଚିକିତ୍ସା ବିଜ୍ଞାନୀ ଏବଂ ଡ୍ରିୟୁ ଏକ ନ୍ୟୁକ୍ଲିଓସାଇଡ୍ଭିତ୍ତିକ ବିକଶିତ ପଦ୍ଧତି ଉଦ୍ଭାବନ କରିଛନ୍ତି। ଯାହାକି ଫଳପ୍ରଦ mRNA ଭାକ୍ସିନ୍ ପ୍ରସ୍ତୁତି ସମର୍ଥ ହୋଇପାରିଛି, ଯାହାକି କୋଭିଡ-୧୯ ବିରୋଧରେ ସଫଳ ପ୍ରତିଶେଧକ ପ୍ରମାଣିତ ହୋଇପାରିଛି। ୨୦୨୦ ଶେଷ ଭାଗରେ ଏହି ଭାକ୍ସିନ ପ୍ରସ୍ତୁତ କରି ଦୁଇ ଚିିକିତ୍ସା ବିଜ୍ଞାନୀ କୋଟି କୋଟି ଲୋକଙ୍କୁ ଭୟଙ୍କର ମହାମାରୀ କବଳରୁ ରକ୍ଷା କରିପାରିଥିବା କାରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ରିପୋର୍ଟ ପ୍ରଥମେ ୨୦୦୫ରେ ପ୍ରକାଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା କୋଭିଡ-୧୯ ଭାକ୍ସିନ୍ ପ୍ରସ୍ତୁତିରେ ଫଳପ୍ରଦ ହୋଇଥିଲା।