ଆତଙ୍କବାଦୀଙ୍କ ଯୌନାଦାସୀ ଥିବା ଇରାକର ନାଦିଆ ଓ କଙ୍ଗୋର ଡେନିସଙ୍କୁ ନୋବେଲ ଶାନ୍ତି ପୁରସ୍କାର
5/10/2018 at 7:10 PM

ନେଂମ୍ବରେ ୫/୧୦ :
ଘୋଷଣା ହେଲା ୨୦୧୮ର ନୋବେଲ୍ ଶାନ୍ତି ପୁରସ୍କାର । ଚଳିତବର୍ଷ କଙ୍ଗୋର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଡେନିସ୍ ମୁକୱେଗେ ଏବଂ ଇରାକର ନାଦିଆ ମୁରାଦଙ୍କୁ ମିଳିତ ଭାବେ ମିଳିଛି ବିଶ୍ବର ସର୍ବଶ୍ରେଷ୍ଠ ପୁରସ୍କାର, ନୋବେଲ୍ ଶାନ୍ତି ପୁରସ୍କାର । ଯୁଦ୍ଧ ସମୟରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ବିରୋଧରେ ଉଭୟ ନିଜ ନିଜ ଦେଶରେ ସ୍ବର ଉତ୍ତୋଳନ କରିଥିଲେ। ଯେଉଁଥିପାଇଁ ଏମାନଙ୍କୁ ମିଳିଛି ନୋବେଲ୍ ଶାନ୍ତି ପୁରସ୍କାର ।
ନାଦିଆ ମୁରଦ୍ । ଇରାକର ସଂଖ୍ୟାଲଘୁ ୟାଜିଦି ସଂପ୍ରଦାୟର ଏ ମହିଳାଙ୍କ ମୁହଁ … ଅନେକ କିଛି କହୁଛି । ମାତ୍ର ୧୯ ବର୍ଷ ବୟସରେ, ଆଇଏସ୍ ଆତଙ୍କବାଦୀମାନେ ତାଙ୍କୁ ଯୌନ ଦାସୀ କରିନେଲେ। ଜୋରଜବରଦସ୍ତ ଘରୁ ଉଠାଇ ନେଇ ବନାଇ ଦେଲେ ଯୌନ କଣ୍ଢେଇ । ୨୪ ଦିନ । ତାଙ୍କୁ ବାରମ୍ବାର ବଳତ୍କାର କରାଯାଇଥିଲା। ଏମିତିକି ଦିନକୁ ୫ ଥର। ବହୁ କଷ୍ଟରେ ସେଠାରୁ ଖସି ଆସିଲେ ନାଦିଆ । ତାଙ୍କ ସ୍ବର ଇରାକ ଡେଇଁ ସାରା ବିଶ୍ବକୁ ବିଚଳିତ କଲା। କେମିତି ଆତଙ୍କୀଙ୍କ ଆଡ୍ଡାରୁ ନୀରିହ ଯୁବତୀମାନଙ୍କୁ ଉଦ୍ଧାର କରାଯିବ ସେନେଇ ସବୁଆଡୁ ଦାବି ଉଠିଲା। ନାଦିଆଙ୍କୁ ମହିଳାମାନଙ୍କ ଆତ୍ମସମ୍ମାନର ଦୂତ ଘୋଷଣା କଲା ଜାତିସଂଘ। ଆଉ ଆଜି ତାଙ୍କୁ ମିଳିଛି ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ନୋବେଲ୍ ଶାନ୍ତି ପୁରସ୍କାର ।
ଏ ହେଉଛନ୍ତି କଙ୍ଗୋର ଡାକ୍ତର ଡେନିସ୍ ମୁକୱେଗେ । ୨୦୧୧ର ଜର୍ଣ୍ଣାଲ୍ ଅଫ୍ ପବ୍ଲିକ୍ ହେଲ୍ଥ ରିପୋର୍ଟ ଅନୁୟାୟୀ, ଗୃହଯୁଦ୍ଧ ପ୍ରଭାବିତ କଙ୍ଗୋ ଥିଲା ରେପ୍ କ୍ୟାପିଟାଲ୍ ଅଫ୍ ୱାର୍ଲଡ୍ । ପ୍ରତି ଏକ ଘଣ୍ଟାରେ ହାରାହାରି ୪୮ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିଲେ । ଆଉ ସେହି ସମୟରେ ବୁକାଭୁରେ ନିଜ ହସ୍ପିଟାଲରେ ଯୌନ ପୀଡ଼ିତଙ୍କ ଚିକିତ୍ସାରେ ନିଜକୁ ଏବଂ ନିଜ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରି ଦେଇଥିଲେ ଡାକ୍ତର ଡେନିସ୍ ମୁୱେଗେ ।
ନାଦିଆ ମୁରଦ୍ ଏବଂ ଡେନିସ୍ ମୁକୱେଗେ … କେବଳ ସ୍ବର ଉଠାଇ ନାହାନ୍ତି, ବରଂ କାର୍ଯ୍ୟରେ କରି ଅନେକ କିଛି ଦେଖାଇଛନ୍ତି । ହ୍ୟାଟସ୍ ଅପ୍ ଟୁ ନାଦିଆ ଆଣ୍ଡ୍ ଡେନିସ୍ ।