ବାୟୁସେନାର ନିଖୋଜ ଏଏନ-୩୨ ବିମାନର ମିଳୁନି ପତ୍ତା, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା

Published By : Prameya-News7 Bureau | June 04, 2019 IST

ନୂଆଦିଲ୍ଲୀ ୪|୬: ବାୟୁ ସେନାର କାର୍ଗୋ ବିମାନ ନିଖୋଜ ।  ଏଏନ-୩୨ ବିମାନରେ ୧୩ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୮ଜଣ ବିମାନ କର୍ମଚାରୀ ଅଛନ୍ତି । ମଝି ଆକାଶରୁ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର  ଏନ୍-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଇଛି । ବିମାନଟି  ଅରୁଣାଚଳ ପ୍ରଦେଶର ସିୟାଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ସ୍ଥାନୀୟ ଲୋକମାନେ ଆକାଶରେ ପ୍ରଥମେ ବିମାନର ଶବ୍ଦ ଶୁଣିଥିଲେ । ଏହାପରେ ସେମାନେ ଆକାଶରେ ଧୂଆଁ ଦେଖିଥିବା ଦାବି କରିଛନ୍ତି। ହେଲେ ଏଯାଏଁ ସରକାରୀ ଭାବେ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ସେହିପରି ଏଯାଏଁ ବିମାନର କୌଣସି ଧ୍ୱାଂସାବଶେଷ ଠାବ କରାଯାଇ ନାହିଁ ।

ଆସାମର ଜୋରହାଟରୁ ଗତକାଲି  ଦିନ ୧୨ ଟା ୨୫ରେ ବିମାନଟି ଉଡାଣ ଭରିଥିଲା । ଦିନ ଗୋଟାଏ ପରଠୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ବିମାନ ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିଲା । ମେଚୁକା ଚୀନ୍ ସୀମା ନିକଟରେ ରହିଛି । ନିଖୋଜ ବିମାନର ତଲାସି ଆରମ୍ଭ ହୋଇଛି । ଏହି ଅଞ୍ଚଳ ପାହାଡିଆ ଓ ଦୁର୍ଗମ ହୋଇଥିବା ବେଳେ ଖରାପ ପାଗ ଯୋଗୁଁ ତଲାସିରେ ବାଧା ଉପୁଜୁଛି ।

ଉଦ୍ଧାର ପାଇଁ ସୁଖୋଇ-୩୦ ଯୁଦ୍ଧ ବିମାନ ଏବଂ ସି-୧୩୦ ସ୍ପେଶାଲ ଅପରେସନ୍ ବିମାନକୁ ନିୟୋଜିତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏୟାର ମାର୍ଶାଲ ରାକେଶ ସିଂଙ୍କ ସହ ଏନେଇ କଥା ହୋଇଛନ୍ତି । ଏନ୍-୩୨ ରୁଷ ଦ୍ବାରା ଡିଜାଇନ୍ ହୋଇଥିବା ଡବଲ ଇଞ୍ଜିନ୍ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଗତ ୪ ଦଶନ୍ଧି ଧରି ଏହି ବିମାନକୁ କାର୍ଗୋ ପରିବହନ ପାଇଁ ବାୟୁ ସେନା ବ୍ୟବହାର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.