ନୂଆଦିଲ୍ଲୀ: ସରକାର ଟୋଲ୍ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ପରେ ଏବେ ଜିଏନ୍ଏସ୍ଏସ୍ ଥିବା ବ୍ୟକ୍ତିଗତ ବାହାନକୁ ୨୦ କିଲୋମିଟର ଯାଏ କୌଣସି ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ନୂଆ ନିୟମରେ କୁହାଯାଇଛି ଯେ ବୈଶ୍ୱିକ ନେଭିଗେସନ୍ ଉପଗ୍ରହ ପ୍ରଣାଳୀ ଥିବା ଗାଡ଼ି ମାଲିକଙ୍କୁ ରାଜପଥ ଏବଂ ଏକ୍ସପ୍ରେସ୍ ୱ'ରେ ପ୍ରତିଦିନ ୨୦ କିଲୋମିଟର ଯାଏ ଯାତ୍ରାରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଙ୍ଗଳବାର ଏନେଇ ଅଧିସୂଚନା ଜାରି କରିଛି । ଏଥିରେ ରାଷ୍ଟ୍ରୀୟ ରାଜପଥ ଶୁଳ୍କ ନିୟମ ୨୦୦୮ରେ ସଂଶୋଧନ କରାଯାଇଛି । ଏବେ ଏହାକୁ ରାଷ୍ଟ୍ରୀୟ ରାଜପଥ ଶୁଳ୍କ ସଂଶୋଧନ ନିୟମ ୨୦୨୪ ନାଁରେ ଜଣାଯିବ । ନୂଆ ନିୟମ ଅନୁସାରେ ରାଷ୍ଟ୍ରୀୟ ରାଜପଥ ଏବଂ ଏକ୍ସପ୍ରେସ୍ ୱେ'ର ୨୦ କିଲୋମିଟରରୁ ଅଧିକ ଦୂର ଯାତ୍ରା ଉପରେ ହିଁ ଶୁଳ୍କ ଆଦାୟ କରାଯିବ ।
ମନ୍ତ୍ରଣାଳୟର ଅଧିସୂଚନା ଅନୁସାରେ, ନ୍ୟାସନାଲ ପରମିଟ୍ ଥିବା ଗାଡ଼ିକୁ ଛାଡ଼ି ଯଦି ଅନ୍ୟ କୌଣସି ଗାଡ଼ି ଚାଳକ କିମ୍ୱା ମାଲିକ ରାଷ୍ଟ୍ରୀୟ ରାଜମାର୍ଗ, ସ୍ଥାୟୀ ପୋଲ, ବାଇପାସ୍ କିମ୍ୱା ସୁଡ଼ଙ୍ଗ ରାସ୍ତାକୁ ବ୍ୟବହାର କରନ୍ତି ତେବେ ତାଙ୍କଠାରୁ ଜିଏନ୍ଏସ୍ଏସ୍-ଆଧାରିତ ଶୁଳ୍କ ସଂଗ୍ରହ ପ୍ରଣାଳୀରେ ଦିନକରେ ପ୍ରତ୍ୟକ ଦିଗରେ ୨୦ କିଲୋମିଟର ଯାତ୍ରା ଯାଏ କୌଣସି ଟିକସ ଆଦାୟ କରାଯିବ ନାହିଁ ।
ଏହା ପୂର୍ବରୁ ମନ୍ତ୍ରଣାଳୟ ଜୁଲାଇରେ କହିଥିଲା ଯେ ଫାସ୍ଟ୍ୟାଗ ସହ ଏକ ଅତିରିକ୍ତ ସୁବିଧା ଭାବେ ନିର୍ଦ୍ଦିଷ୍ଟ ରାଷ୍ଟ୍ରୀୟ ରାଜପଥରେ ଉପଗ୍ରହ ଆଧାରିତ ଟୋଲ ସଂଗ୍ରହ ପ୍ରଣାଳୀକୁ ପାଇଲଟ୍ ଆଧାରରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଏନ୍ଏସ୍ଏସ୍ ଆଧାରିତ ଟୋଲ୍ ସଂଗ୍ରହ ସିଷ୍ଟମ ଅଧିନରେ ହାଇୱେ ଉପରେ ଧାର୍ଯ୍ୟ ଦୂରତା ଆଧରରେ ଟୋଲ୍ ନିଆଯାଇଥାଏ । ବର୍ତ୍ତମାନ ପ୍ରଣାଳୀରେ ଗାଡ଼ି ଚାଳକ ଗୋଟିଏ ଭାଗରେ ଯାତ୍ରା କଲେ ବି ଏକ ନିଶ୍ଚିତ ରାଶି ପୈଠ କରିବାକୁ ପଡ଼ିଥାଏ । ସାଟେଲାଇଟ୍ ଆଧାରିତ ସିଷ୍ଟମ ଗାଡ଼ିର ଗତିବିଧିକୁ ଟ୍ରାକ୍ କରିଥାଏ ଏବଂ ଗାଡ଼ିରେ ଲାଗିଥିବା ଅନ୍ ବୋର୍ଡ ୟୁନିଟ୍ ସାହାଯ୍ୟରେ ଟିକସ ଗଣନା କରିଥାଏ ।