ଜାନୁଆରୀ ୧ ଯାଏଁ କୋର୍ଟ ବନ୍ଦ, ଜଜ୍ଙ୍କ ଛୁଟିକୁ ନେଇ ଆଇନ ମନ୍ତ୍ରୀଙ୍କ ଟିପ୍ପଣୀର ଗୋଟିଏ ଦିନ ପରେ ସିଜେଆଇଙ୍କ ଘୋଷଣା
16/12/2022 at 6:33 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଶୁକ୍ରବାର କହିଛନ୍ତି ଯେ ଡିସେମ୍ୱର ୧୭ରୁ ଜାନୁଆରୀ ୧ ଯାଏଁ ଅଦାଲତର କୌଣସି ବେଞ୍ଚ ଉପଲବ୍ଧ ରହିବ ନାହିଁ । ଏହି ସମୟରେ କୋର୍ଟରେ ଶୀତ ଛୁଟି ରହିବ । ସିଜେଆଇଙ୍କ ଏହି ଘୋଷଣା ଆଇନ ମନ୍ତ୍ରୀ କିରିଣ ରିଜିଜୁଙ୍କ ବୟାନର ଗୋଟିଏ ଦିନ ପରେ ଆସିଛି । ନିଜ ବୟାନରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ମଧ୍ୟରେ ଏହି ଭାବନା ରହିଛି ଯେ କୋର୍ଟରେ ଲମ୍ୱା ଛୁଟି ହୁଏ । ଏହାକୁ ନେଇ ନ୍ୟାୟ ଚାହୁଁଥିବା ଲୋକଙ୍କୁ ବହୁ ଅସୁବିଧାର ସାମନା କରିବାକୁ ପଡ଼ିଥାଏ । କୋର୍ଟରେ ଉପସ୍ଥିତ ଓକିଲଙ୍କୁ ସମ୍ୱୋଧିତ କରି ଚିଫ୍ ଜଷ୍ଟିସ୍ କହିଥିଲେ ଯେ ଡିସେମ୍ୱର ୧୭ରୁ ଜାନୁଆରୀ ୧ ଯାଏଁ କୌଣସି ବେଞ୍ଚ ଉପଲବ୍ଧ ରହିବ ନାହିଁ ।
ଦୁଇ ସପ୍ତାହର ଶୀତ ଛୁଟି ପୂର୍ବରୁ ସୁପ୍ରିମକୋର୍ଟରେ ଆଜି ଶେଷ କାର୍ଯ୍ୟ ଦିବସ ଥିଲା। ଜାନୁଆରୀ ୨ରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେବ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହିଁ ବିଚାରପତିଙ୍କ ଛୁଟିକୁ ନେଇ ପ୍ରଶ୍ନ ଉଠି ଆସୁଛି । ତେବେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଏହି ପ୍ରଶ୍ନ ଗୁଡିକୁ ଖଣ୍ଡନ କରି ଏହା ଏକ ଭୁଲ ଧାରଣା ବୋଲି କହିଥିଲେ । ସେ କହିଥିଲେ ଯେ ଜଜମାନେ ଅନେକ ସମୟରେ ରାତି ଅନିଦ୍ରା ରହି ନିଜ ନିଷ୍ପତ୍ତି ଉପରେ ବିଚାର କରିଥାନ୍ତି ।