ନୂଆଦିଲ୍ଲୀ: ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢିବାରେ ଲାଗିଛି। ଯାହା ବାଣିଜ୍ୟରେ କାରବାରରେ ମଧ୍ୟ ଦେଖିବାକୁ ମିଳିଲାଣି। ଭାରତରେ ଅଟୋମୋବାଇଲ୍ ସମ୍ପର୍କିତ କୌଣସି ନିବେଶ ନ କରିବାକୁ ଚୀନ ସରକାର ନିଜର ଅଟୋ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଜୁଲାଇ ମାସରେ ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଏକାଧିକ ଅଟୋ ନିର୍ମାତା କମ୍ପାନୀଙ୍କ ସହ ବୈଠକ କରିଥିଲେ। ଏଥିରେ ଭାରତରେ ଅଟୋ ସମ୍ପର୍କିତ ନିବେଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଟୋ ସେକ୍ଟରରେ ଟେକ୍ନୋଲୋଜୀକୁ ଭାରତ ଠାରୁ ଲୁଚାଇ ରଖିବା ଓ ବିଶ୍ୱସ୍ତରରେ ବିସ୍ତାର ଯୋଗୁ ଲାଗୁଥିବା କଟକଣା କୋହଳ କରିବାକୁ ଚୀନ ଏହି ନିଷ୍ପତ୍ତି ନେଇଥିବା ବ୍ଲୁମବର୍ଗରେ ଖବର ପ୍ରକାଶ ପାଇଛି।
ବିଦେଶରେ ଚାହିଦା ସତ୍ତ୍ୱେ ବି ଆଡଭାନ୍ସ ଇଭି ଟେକ୍ନୋଲୋଜୀର ଜ୍ଞାନକୁ ନିଜ ଦେଶରେ ସୁରକ୍ଷିତ ରଖିବା ପାଇଁ ସବୁ ମୁଖ୍ୟ ଉତ୍ପାଦନ ଚୀନରେ କରିବାକୁ ଜିନପିଙ୍ଗ ସରକାର ସ୍ୱଦେଶୀ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗାଡ଼ି ଆସେମ୍ବଲି ପାଇଁ ଆବଶ୍ୟକ ନକ୍ ଡାଉନ୍ କିଟ୍ ଗୁଡ଼ିକ ଚୀନରେ ଉତ୍ପାଦନ କରି ଏହାର ରପ୍ତାନୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କରିବା ଦ୍ୱାରା ମୁଖ୍ୟ ଉତ୍ପାଦନ ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ରଖିବା ସହିତ ଚୀନ ନିର୍ମିତି ଇଭି ଉପରେ ଶୁଳ୍କରୁ ମଧ୍ୟ ବର୍ତ୍ତି ହେବ।
ତେବେ ଚୀନ କମ୍ପାନୀ ବିୱାଇଡି ଏବଂ ଚେରି ଅଟୋମୋବାଇଲ ଭଳି କମ୍ପାନୀ ସ୍ପେନ,ଥାଇଲାଣ୍ଡ ଓ ହଙ୍ଗେରୀ ଭଳି ବିଦେଶରେ କମ୍ପାନୀ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ହେଲେ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜୀକୁ ଏମାନେ ଚୀନରେ ହିଁ ଉତ୍ପାଦନ କରିବେ ବୋଲି ଲକ୍ଷ ରଖିଛନ୍ତି। କେଭଳ ଭାରତ ପାଇଁ ଯେ ଏହି ନିୟମ ଲାଗୁ ହୋଇଛି ତାହା ନୁହେଁ, ତୁର୍କୀ ଭଳି ଅନ୍ୟ ଦେଶ ପାଇଁ ମଧ୍ୟ ଏହି ନିୟମ ଲାଗୁ କରିଛି ଚୀନ। ବିଦେଶରେ ଅଟୋ ସେକ୍ଟରରେ କୌଣସି ନିବେଶ କରିବା ପୂର୍ବରୁ ପ୍ରଥମେ ବାଣିଜ୍ୟ ମନ୍ତ୍ରଣାଳୟ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସୂଚନା ଦେବାକୁ ଚୀନ ନିଜ କାର ନିର୍ମାତା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛି।
ଚୀନ କମ୍ପାନୀମାନେ ବିଦେଶୀ ଶୁଳ୍କରୁ ବଞ୍ଚିବା ପାଇଁ ବିଶ୍ୱସ୍ତରରେ ନିଜର କାରବାର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଏହା ବାଦ ଘରୋଇ ମାର୍କେଟ୍ରେ ବେପାର ମାନ୍ଦା ରହିଛି। ତେଣୁ କମ୍ପାନୀମାନେ ବିଦେଶରେ ସେଲ୍ କରି ନିଜର ଗ୍ରୋଥ କରିବାକୁ ଚାହୁଁଛନ୍ତି। ଯଦି ସେମାନେ ଚୀନରେ ପ୍ରଡକ୍ସନ ଜାରି ରଖନ୍ତି ତେବେ ବିସ୍ତ ସ୍ତରରେ ପହଞ୍ଚିବା ସ୍ୱପ୍ନ କଷ୍ଟକର ହେବା ସହିତ ୟୁରୋପ ଭଳି ଦେଶଗୁଡିକର ଆହ୍ୱାନର ସାମ୍ନା କରିବାକୁ ପଡ଼ିବ। କାରଣ ଅନ୍ୟ ଦେଶମାନେ ନିଜର ଅର୍ଥନୀତିକୁ ବଳ ଦେବା ସହିତ ନିଯୁକ୍ତି ସୃଷ୍ଟି କରିବାକୁ ଚୀନର ନିବେଶକୁ ଚାହିଁ ବସିଛନ୍ତି।
ଉଦାହରଣ ସ୍ୱରୂପ ତୁର୍କୀଏର ଚୀନ ଇ-କାର ନିର୍ମାତା କମ୍ପାନୀ ବିୱାଇଡି ବାର୍ଷିକ ୧୫୦,୦୦୦ କାର୍ ଉତ୍ପାଦନକାରୀ ଏକ କମ୍ପାନୀ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି। ସେହିପରି ଚେରି ଅଟୋମୋବାଇଲ୍ ସ୍ପେନ୍ରେ ସ୍ଥାନୀୟ କମ୍ପାନୀ ସହ ଚୁକ୍ତି କରି ପୂର୍ବତନ ନିଶାନ ପ୍ଲାଣ୍ଟ ଖୋଲିବାକୁ ଚାହୁଁଛି। ଏଭଳି କରି ଚୀନ କମ୍ପାନୀ ବିଦେଶରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛନ୍ତି।