ସୋନିଆଙ୍କ ଜାଗା ନେବେନି ଶରଦ : ରିପୋର୍ଟକୁ ଖଣ୍ଡନ କଲା ଏନସିପି, କହିଲା-'କୃଷକ ଆନ୍ଦୋଳନରୁ ନଜର ହଟାଇବାକୁ ପ୍ରାୟୋଜିତ ଖବର'

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ, ୧୧|୧୨:   ୟୁପିଏର ଅଧ୍ୟକ୍ଷ କିଏ ହେବ ତାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜାରି ରହିଛି । ୟୁପିଏରେ କଂଗ୍ରେସ ସହ ଏନସିପି, ଆରଜେଡି ଓ ଶିବସେନା ଭଳି ଦଳ ରହିଛନ୍ତି । ତେବେ ଗତ କିଛି ଦିନ ଧରି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ୟୁପିଏର ମଙ୍ଗ ସମ୍ଭାଲିବେ ବୋଲି ଆଲୋଚନା ଜୋର୍ ଧରିଛି । କିନ୍ତୁ ଦଳ ପକ୍ଷରୁ ଏଥିରେ ପୂର୍ଣ୍ଣଛେଦ ପକାଯାଇଛି । ଶରଦ ୟୁପିଏର ଅଧ୍ୟକ୍ଷ ହେବେ ନାହିଁ କହିଛନ୍ତି ଦଳର ମୁଖ୍ୟ ପ୍ରବକ୍ତା ମହେଶ ତପାସେ ।

ସେ କହିଛନ୍ତି ଯେ, ଶରଦ ପାଓ୍ୱାର ୟୁପିଏର ଅଧ୍ୟକ୍ଷ ହେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ କୌଣସି ଆଲୋଚନା ହେଇନାହିଁ । ଏହି ଖବର ମିଛ । ଜାଣିଶୁଣି ଗଣମାଧ୍ୟମରେ ଏପରି ଖବର ପ୍ରସାରିତ ହେଉଛି । କୃଷକ ଆନ୍ଦୋଳନରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏପରି ଖବର ପ୍ରସାରଣ କରାଯାଉଛି ।

ସେହିପରି ଶିବସେନା ନେତା ସଞ୍ଜୟ ରାଓ୍ୱତ କହିଛନ୍ତି ଯେ, ରାଜନୀତିରେ କିଛି ବି ହୋଇପାରେ । ଭବିଷ୍ୟତରେ କଣ ହେବ କେହି କହିପାରିବେ ନାହିଁ । ତେବେ ପାଓ୍ୱାରଙ୍କ ପାଖରେ ନେତୃତ୍ୱ ନେବାର ସମସ୍ତ ଗୁଣ ରହିଛି । ଅଭିଜ୍ଞତା ଅଛି ।  ସେ ଦେଶର ପ୍ରସଙ୍ଗ ଓ ଜନତାଙ୍କୁ ଭଲ ଭାବେ ଜାଣିଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶରଦ ପାଓ୍ୱାର ଦିଲ୍ଲୀରେ କୃଷକଙ୍କୁ ସମର୍ଥନ ପାଇଁ ପହଁଚିବା ପରେ ସେ ୟୁପିଏର ମଙ୍ଗ ସମ୍ଭାଳିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ସୋନିଆ ଗାନ୍ଧୀଙ୍କ ବଦଳରେ ସେ ମଙ୍ଗ ସମ୍ଭାଳିବେ ବୋଲି ମଧ୍ୟ ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.