ଘରେ ବସିଲେ ଦରମା ମିଳିବନି: ବିକ୍ଷୋଭକାରୀ କାଶ୍ମୀର ପଣ୍ଡିତଙ୍କୁ ଚେତବାନୀ ଦେଲେ ଉପରାଜ୍ୟପାଳ
21/12/2022 at 8:26 PM

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ହିନ୍ଦୁମାନଙ୍କୁ ଜାଣିଶୁଣି ହତ୍ୟା କରାଯାଉଥିବାରୁ ଆତଙ୍କିତ ହୋଇ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା କାଶ୍ମୀର ପଣ୍ଡିତଙ୍କୁ ଚେତାବନୀ ଦେଲେ ଉପରାଜ୍ୟପାଳ ମନୋଜ ସିହ୍ନା। ଘରେ ବସିଲେ ମିଳିବନି ଦରମା ।
ଏନେଇ ବୁଧବାର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ସିହ୍ନା କହିଛନ୍ତି ଯେ ସଂଖ୍ୟା ଲଘୁ କର୍ମଚାରୀ ଓ ଘାଟିରେ ସେବା ଯୋଗାଉଥିବା କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସବୁ ପଦକ୍ଷେପ ନିଆଯାଉଛି। ତା ସହିତ ଯେଉଁମାନେ ଚାକିରି ଟ୍ରାନ୍ସଫର ପାଇଁ ଦାବି କରି ଆନ୍ଦୋଳନ କରି ଘରେ ବସିଲେ ସେମାନଙ୍କୁ ଦରମା ଦିଆଯିବ ନାହିଁ ବୋଲି ଉପରାଜ୍ୟପାଳ କହିଛନ୍ତି।
ଖବର ଅନୁସାରେ ଟାର୍ଗେଟ୍ କିଲିଂ ଭୟରେ ଅନେକ କାଶ୍ମୀର ହିନ୍ଦୁ ଘାଟିଅଞ୍ଚଳ ଛାଡ଼ି ଜାମ୍ମୁ ମୁହାଁ ହୋଇଛନ୍ତି। କେତେକ ଅସୁରକ୍ଷା କାରଣୁ ସେମାନଙ୍କର ଚାକିରି ଟ୍ରାନ୍ସଫର କରି ଅନ୍ୟତ୍ର ଯିବାକୁ ଦାବି କରି ବିକ୍ଷୋଭ କରୁଛନ୍ତି।
ଏନେଇ ଉପରାଜ୍ୟପାଳ କହିଛନ୍ତି “ ସେମାନେ ବିକ୍ଷୋଭ କରୁଛନ୍ତି। ମୁଁ ନିୟମିତ ସେମାନଙ୍କର ଯୋଗାଯୋଗରେ ରହି ତାଙ୍କର ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛି। ଜିଲ୍ଲା କମିସନର, ଏସ୍ପି ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ସହ ପରାମର୍ଶକ୍ରମେ ପାଖାପାଖି ସମସ୍ତଙ୍କୁ ମୁଖ୍ୟାଳୟଙ୍କୁ ସ୍ଥାନାନ୍ତର କରାଯାଇଛି। ”
ତେବେ ସେମାନଙ୍କ ମଧ୍ୟରୁ କିଛିଙ୍କୁ ତହସିଲ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। କିଛିଙ୍କୁ ସହର ନିକଟବର୍ତ୍ତୀ ଗାଁରେ ପୋଷ୍ଟିଂ ଦିଆଯାଇଛି। ତେବେ ଯେଉଁମାନେ ସ୍ଥାନୀୟ ବିକାଶ ବିଭାଗରେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ନାହଁ ବୋଲି ଉପରାଜ୍ୟପାଳ କହିଛନ୍ତି। ତେବେ ଘରେ ବସିଲେ ଦରମା ମିଳିବ ନାହିଁ ବୋଲି ଶ୍ରୀ ସିହ୍ନା ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି।