୨୪ ଘଣ୍ଟା ଜେରା ସଲାଣି, କେବେ ମିଳିବ ଇଡିରୁ ତ୍ରାହି ! ପୁଣି ଜୁନ ୧୭ରେ ହାଜର ହେବେ ରାହୁଲ

Published By : Prameya-News7 Bureau | June 15, 2022 IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜୁନ ୧୭ରେ ଚତୁର୍ଥ ଥର ପଚରା ଉଚୁରା ପାଇଁ ସମନ ଜାରି କରିଛି। ଗୁରୁବାର ପଚରା ଉଚୁରାରୁ ମୁକ୍ତ କରିବାକୁ ରାହୁଲ କହିଥିଲେ। ଅଧିକାରୀ ତାଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି। ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଦିନ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଇଡି ବୁଧବାର ଅନେକ ଘଣ୍ଟା ଧରି 'ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍' ଏବଂ  ଏହାର ମାଲିକାନା ଅଧିକାର ରଖିଥିବା ୟଙ୍ଗ ଇଣ୍ଡିଆନରେ ତାଙ୍କ ଭୂମିକା କଣ ଥିଲା ସେ ବିଷୟରେ ରାହୁଲଙ୍କୁ ପଚରା ଉଚୁରା କରିଛି।

ରାହୁଲ ଗାନ୍ଧୀ ସିଆରପିଏଫ ଯବାନଙ୍କ ଜେଡ୍ ପ୍ଲସ ଶ୍ରେଣୀର ସୁରକ୍ଷା ସହିତ ପୂର୍ବାହ୍ନ ପ୍ରାୟ ୧୧ଟା ୩୫ରେ ଏପିଜେ ଅବଦୁଲ କଲାମ ରୋଡ୍ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହିତ ଥିଲେ ଭଉଣୀ ତଥା କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ତିନି ଦିନର ପଚରା ଉଚୁରା ସମୟରେ ରାହୁଲ ଗାନ୍ଧୀଙ୍କ ବୟାନର ଅଡିଓ ଏବଂ ଭିଡିଓ ରେକର୍ଡିଂ କରାଯାଇଛି। ତାଙ୍କ ବୟାନକୁ ଏ୪ ଆକାର କାଗଜରେ ଟାଇପ୍ କରାଯାଉଛି। ମିନିଟ୍ ମିନିଟ୍ ଆଧାରରେ ଏହା ରାହୁଲଙ୍କୁ ଦେଖାଯାଉଛି ଏବଂ ହସ୍ତାକ୍ଷର କରାଯାଉଛି।

ଏହି ମାମଲାରେ କୌଣସି ଦମ୍ ନଥିବା ଦାବି କରିଛି କଂଗ୍ରେସ। ଏହା ପଞ୍ଜିକୃତ ଅପରାଧ ନୁହେଁ ଯାହାକୁ ନେଇ ମନି ଲଣ୍ଡ୍ରିଂ ନିରୋଧ ଆଇନ ଆଧାରରେ ମାମଲା ରୁଜୁ କରାଯାଇ ରାହୁଲ ଏବଂ ସୋନିଆଙ୍କୁ ସମନ ଜାରି କରାଯିବ। ଅଧିକାରୀ କହିଛନ୍ତି ଆୟକର ବିଭାଗ ଦ୍ଵାରା ଦାୟର ଅଭିଯୋଗ ପତ୍ର ଏବଂ ପ୍ରକ୍ରିୟା ଆଧାରରେ ରାହୁଲଙ୍କୁ ଜେରା କରାଯାଉଛି। ଇଡି ପ୍ରଥମ ଦିନ ଅର୍ଥାତ ସୋମବାର ୯ ଘଣ୍ଟା ଏବଂ ଦ୍ଵିତୀୟ ଦିନ ପାଖାପାଖି ୮ ଘଣ୍ଟା ପଚରା ଉଚୁରା କରିଥିଲା। ମୋଟାମୋଟି ରାହୁଲ ଏହି ତିନି ଦିନରେ ୨୪ ଘଣ୍ଟା ପଚରା ଉଚୁରା କରିସାରିଲାଣି ଇଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.