ରାଜ୍ୟରେ ମୌସୁମୀ ଦୁର୍ବଳ, ନିଅଣ୍ଟିଆ ବର୍ଷାରେ ସରିଗଲା ଜୁନ୍

Published By : Prameya-News7 Bureau | July 02, 2021 IST

ଭୁବନେଶ୍ୱର,୦୨/୦୭ : ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି କରୋନା । ଆଶା ଥିଲା, ଚାଷରୁ ଆର୍ଥିକ କ୍ଷତ ଭରଣା କରିବାକୁ । ମାତ୍ର ଦାଉ ସାଧୁଛି ପ୍ରକୃତି । ଧୋକା ଦେଉଛି ମୌସୁମୀ । ଜୁନ୍‌ ସରିଗଲା ନିଅଣ୍ଟିଆ ବର୍ଷାରେ । ୧୪ ଜିଲ୍ଲାରେ ଜଳାଭାବ ଥିବାବେଳେ ୧୫୨ ବ୍ଲକରେ ମାଟି ଶୁଖିଲା ପଡ଼ିଛି । ଚାଷ କାମ ଆଗେଇପାରୁନି । ଧାନ ବୁଣା, ତଳି ପକା ପାଇଁ ଚାଷୀ ଆକାଶକୁ ଅନେଇ ବସିଛି । ଏବେ ପାଣିପାଗର ତାଜା ଆକଳନ କହୁଛି, ଜୁଲାଇରେ ବି ଭଲ ବର୍ଷା ଆଶା କମ୍‌ । କେତେକ ଜିଲ୍ଲାରେ ବର୍ଷା କମ୍‌ ରହିବ । ଅଧିକାଂଶ ଜିଲ୍ଲାରେ ବର୍ଷାକୁ ନେଇ ଅନିଶ୍ଚିତତା ରହିଛି । ଯଦି ଭଲ ବର୍ଷା ନ ହୁଏ, ତେବେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜୁଲାଇ ମାସର ସମ୍ଭାବ୍ୟ ବର୍ଷା ସ୍ଥିତି ନେଇ ପ୍ରାକ୍‌ ଆକଳନ କରାଯାଇଛି । ଏଥିରେ ଦେଶରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ରହିବ ବୋଲି ଅନୁମାନ କରାଯାଇଛି । ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ଜୁଲାଇ ମାସରେ ଓଡ଼ିଶାର ଉତ୍ତର ଆଭ୍ୟନ୍ତରୀଣ ତଥା ଉତ୍ତର ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‌ ରହିବ ବର୍ଷା । ଏହାର ସମ୍ଭାବନା ୩୫%ରୁ ୫୫ ପ୍ରତିଶତ । କିନ୍ତୁ, ଦକ୍ଷିଣ ଆଭ୍ୟନ୍ତରୀଣର ଅଳ୍ପ କିଛି ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ବୌଦ୍ଧ, ସୋନପୁରରେ ସ୍ୱାଭାବିକଠାରୁ କମ୍‌ ବର୍ଷା ସମ୍ଭାବନା ଅଛି । ତେବେ ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କୋରାପୁଟରେ ସ୍ୱାଭାବିକଠାରୁଅଧିକ ବର୍ଷା ହୋଇପାରେ । ଗତବର୍ଷ ଜୁଲାଇ ମାସରେ ୨୨୪.୮ ମିମି ବର୍ଷା ରେକର୍ଡ ହୋଇଥିଲା । ସ୍ୱାଭାବିକ ବର୍ଷା ପରିମାଣ ୩୪୫ ମିମି । ଗତବର୍ଷ ଜୁଲାଇରେ ୩୫% କମ୍‌ ବର୍ଷା ହୋଇଥିଲା ।

ଆଇଏମଡି ଜାରି କରିଥିବା ପୂର୍ବାନୁମାନକୁ ବିଶ୍ଳେଷଣ କରି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁଲାଇରେ ଗଞ୍ଜାମ, ଗଜପତି ଓ ଏହାର ସଂଲଗ୍ନ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏହାର ସମ୍ଭାବନା ୩୫ରୁ ୪୫% । କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ସମ୍ଭାବନା ଅଛି । ଏହାର ସମ୍ଭାବନା ୩୫%ରୁ ୪୫% ରହିଛି ।

ଡକ୍ଟର ପଶୁପାଳକ କହିଛନ୍ତି, ଧଳା ରଙ୍ଗରେ ଆଇଏମଡି ଚିହ୍ନଟ କରିଥିବା ରାଜ୍ୟର ବାକି ଅଞ୍ଚଳରେ କ୍ଲାଇମାଟୋଲୋଜିକାଲ୍‌ ସ୍ୱାଭାବିକ ବର୍ଷା ହେବ । ଏହାର ଅର୍ଥ ନୁହେଁ ଯେ ଏସବୁ ଜିଲ୍ଲାରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ରହିବ । ହୁଏତ ସ୍ୱାଭାବିକ ବର୍ଷା ହୋଇପାରେ । ବର୍ଷା ନିଅଣ୍ଟିଆ ବି ରହିପାରେ କିମ୍ବା ଅଧିକ ବର୍ଷା ବି ହୋଇପାରେ । ଅର୍ଥାତ୍‌ ଅଧିକାଂଶ ଜିଲ୍ଲାରେ ଜୁଲାଇର ସମ୍ଭାବ୍ୟ ବର୍ଷାକୁ ନେଇ ଅନିଶ୍ଚିତତା ରହିଛି । ଜୁନ୍‌ରେ ବର୍ଷା ନିଅଣ୍ଟିଆ ଥିବାବେଳେ ଯଦି ଜୁଲାଇରେ ବର୍ଷା କମିଯାଏ, ତେବେ କୃଷି ପାଇଁ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି ।

ଢେଙ୍କାନାଳ, ଅନୁଗୁଳରେ ଜୁନ୍‌ରେ କମ୍‌ ବର୍ଷା ହୋଇଛି । ଜୁଲାଇରେ ମଧ୍ୟ ଏ ଦୁଇ ଜିଲ୍ଲାରେ କମ୍‌ ବର୍ଷା ଆକଳନ କରାଯାଇଛି । କନ୍ଧମାଳର ଅବସ୍ଥା ମଧ୍ୟ ସେହିପରି । ବୌଦ୍ଧ, ନୟାଗଡ଼, କଳାହାଣ୍ଡିରେ ବର୍ଷା ନେଇ ଅନିଶ୍ଚିତତା ରହିଛି । ଭଦ୍ରକରେ ଅନିଶ୍ଚିତତା ଅଧିକ ରହୁଥିବାବେଳେ ଏଠାରେ ସ୍ୱାଭାବିକ ବର୍ଷା କମ୍‌ ରହିଥାଏ ।

ଡ. ପଶୁପାଳକ କହିଛନ୍ତି, ଆଜିର ଆଇଏମଡି ପୂର୍ବାନୁମାନ ସହ ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲରୁ ଅନୁମାନ କରାଯାଉଛି, ବର୍ତ୍ତମାନ ଦୁଇ ସପ୍ତାହ ବିଶେଷ ବର୍ଷା ନାହିଁ । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବୌଦ୍ଧ, ନୟାଗଡ଼ ଓ ଉପକୂଳର ଭଦ୍ରକ ଜିଲ୍ଲାରେ ଜୁଲାଇ ମାସର ପ୍ରଥମାର୍ଦ୍ଧରେ (ଦୁଇ ସପ୍ତାହ) ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ । ଏହାସହ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ପଶ୍ଚିମ ଓଡ଼ିଶାର ବରଗଡ଼ରେ ଜୁଲାଇ ବର୍ଷା ଚାଷ କାମ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଉତ୍ତର ଉପକୂଳ ଓଡ଼ିଶାରେ ଜୁଲାଇର ପ୍ରଥମ ଦୁଇ ସପ୍ତାହରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ଜୁଲାଇ ମାସରେ ରୁଆ, ବେଉଷା ହୋଇଥାଏ । କିନ୍ତୁ ରାଜ୍ୟରେ ଜୁଲାଇ ବର୍ଷା ଅନିଶ୍ଚିତତା ଘେରକୁ ଆସିଯାଇଛି । ତେଣୁ ବର୍ଷା ଉପରେ ନଜର ରଖି ଚାଷୀ ସୁଚିନ୍ତିତ ଯୋଜନାରେ ଚାଷ କାମ ଆଗେଇବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।

ପାଣିପାଗ ବିଭାଗ କହିଛି, ଜୁନ୍‌ ପହିଲାରୁ ଏଯାବତ୍‌ ରାଜ୍ୟରେ ୧୮% ବର୍ଷା କମ୍‌ ରହିଛି । ୧୪ ଜିଲ୍ଲାରେ ବର୍ଷା ଅଭାବ ରହିଛି । ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବର୍ଷା ଅଭାବରୁ ରାଜ୍ୟରେ ଗରମ ପ୍ରକୋପ ବଢ଼ିଛି । ପାରଦ ପୁଣି ୩୮ ଡିଗ୍ରୀ ଛୁଇଁଲାଣି । ଉପକୂଳରେ ପାରଦ ୩୫-୩୬ ଡିଗ୍ରୀ ରହୁଛି । ଏଭଳି ସ୍ଥିତି ଆହୁରି କିଛି ଦିନ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.