ନୂଆଦିଲ୍ଲୀ: ବ୍ରିଟେନ୍ରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପି ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରୁଥିବା ବେଳେ କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
ରାହୁଲ ଗାନ୍ଧୀ ଭାରତ ବିରୋଧରେ ବିଷୋଦଗାର କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରି କଂଗ୍ରେସକୁ ସମାଲୋଚନା କରିଥିଲେ। ବୁଧବାର ଏହାର ଉତ୍ତର ଖିଛନ୍ତି ଖଡ଼ଗେ।
ସେ କହିଛନ୍ତି “ଯେଉଁମାନେ ରାହୁଲ ଗାନ୍ଧୀଙ୍କ ଠାରୁ କ୍ଷମା ଦାବି କରୁଛନ୍ତି ମୁଁ ସେମାନଙ୍କୁ ଗୋଟେ ପ୍ରଶ୍ନ କରିବାକୁ ଚାହୁଁଛି। ମୋଦୀ ଜୀ ଯେତେବେଳେ ୫-୬ ଦେଶ ଗସ୍ତ କରି ଆମ ଦେଶକୁ ଲଜ୍ଜିତ କରିଥିଲେ। ଭାରତରେ ଜନ୍ମ ନେବା ପାପ ବୋଲି କହିଥିଲେ। ସେ କଥାକୁ କ’ଣ ହେଲା?”
ଭାରତରେ ଗଣତନ୍ତ୍ରର ପ୍ରଭାବ ହ୍ରାସ ହେଉଛି। ଏବଂ ବାକ୍ ସ୍ୱାଧୀନତା ଧୀରେ ଧୀରେ ଦୁର୍ବଳ ହେଉଛି ବୋଲି ଖଡ଼ଗେ କହିଛନ୍ତି। ମିଡିଆକୁ ସମ୍ବୋଧନ କରି ସେ କହିଛନ୍ତି “ ଟିଭି ଚ୍ୟାନେଲ୍ଗୁଡ଼ିକ ଉପରେ ଚାପ ପକାଯାଉଛି। ଯେଉଁମାନେ ସତ କହିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଜେଲ୍ରେ ପୂରାଇ ଦିଆଯାଉଛି। ଯଦି ଏହା ଗଣତନ୍ତ୍ର ଅନ୍ତର ପ୍ରକ୍ରିୟା ନୁହେଁ ତେବେ ଏହା କ’ଣ ? ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ।”
ସୂଚନା ଥାଉକି, ରାହୁଲ ଗାନ୍ଧୀ ୟୁକେ ଗସ୍ତ କରି ଆଜି ଭାରତ ଫେରିଛନ୍ତି। ବ୍ରିଟେନ୍ରେ ତାଙ୍କ ମନ୍ତବ୍ୟକୁ ନେଇ ସେ ପ୍ରତିକ୍ରିୟା ମଧ୍ୟ ଦେଇ ସାରିଛନ୍ତି। ୟୁଗେ ଗସ୍ତରେ ସେ ଭାରତର ଗଣତନ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ ହେଉଥିବା କହିଥିଲେ। ଗଣମାଧ୍ୟମ ଠାରୁ ଆରମ୍ଭ କରି ନ୍ୟାୟପାଳିକା ସବୁ ଅକ୍ତିଆର କରିବାକୁ ଉଦ୍ୟମ ହେଉଛି ବୋଲି ରାହୁଲ କହିଥିଲେ।
ବ୍ରିଟେନ୍ ପାର୍ଲାମେଣ୍ଟରେ ଭାଷଣ ଦେଇ ରାହୁଲ କହିଥିଲେ ଯେ ଲୋକସଭାରେ ବିରୋଧୀ ଦଳ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ତାଙ୍କ ମାଇକ୍ରୋଫୋନ୍ ବନ୍ଦ କରିଦିଆଯାଉଛି। ରାହୁଲଙ୍କର ଏହି ମନ୍ତବ୍ୟକୁ ନେଇ ଭାରତ ସସଂଦରେ ବିଜେପି ହଙ୍ଗାମା କରିଥିଲା। ରାହୁଲ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦାବି କରିଥିଲେ।