ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ, ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବର୍ଷ ଶୀତ ଆରମ୍ଭରୁ ବାୟୁ ପ୍ରଦୂଷଣ ଏକ ବଡ଼ ସମସ୍ୟା ରୂପେ ଠିଆ ହୋଇଥାଏ । ତେବେ ଚଳିତ ବର୍ଷ ଏହାର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ ଦିଲ୍ଲୀରେ ପଲ୍ୟୁସନ ସାର୍ଟିଫିକେଟ୍ ନଥିବା ଗାଡି ଗୁଡିକୁ ପେଟ୍ରୋଲ-ଡିଜେଲ ମିଳିବ ନାହିଁ । ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଲାଗୁ କରିଛନ୍ତି । ଏହା ଅନୁସାରେ ଯଦି ଆପଣଙ୍କ ଫଲ୍ୟୁସନ ସାର୍ଟିଫିକେଟ ନାହିଁ ତେବେ ଆପଣଙ୍କୁ ଇନ୍ଧନ ମିଳିବ ନାହିଁ । ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ଆସନ୍ତା ଅକ୍ଟୋବର ୨୫ରୁ ଲାଗୁ ହେବ।

ଦିଲ୍ଲୀର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଦୂଷଣ ରୋକିବା ପାଇଁ ଜିଆରଏପି ଏବଂ ୱିଣ୍ଟର ଆକ୍ସନ ପ୍ଲାନକୁ କଡାକଡି ଲାଗୁ କରାଯିବ । ଏହାସହ ଅକ୍ଟୋବର ୩ରୁ ପରିବେଶ ମନ୍ତ୍ରଣାଳୟର ‘ୱାର ରୁମ୍’ ଏହା ଉପରେ କାମ କରିବା ଆରମ୍ଭ କରିବ । ଅକ୍ଟୋବର ୬ରୁ ଦିଲ୍ଲୀ ସରକାର ଆଣ୍ଟି ଡଷ୍ଟ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା ଧୂଳିରୁ ହେଉଥିବା ପ୍ରଦୂଷଣ ବିରୋଧରେ କ୍ୟାମ୍ପେନ ଆରମ୍ଭ କରାଯିବ। ଏହାସହ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ପିଏୟୁସି ନଥିବା ଗାଡି ଗୁଡିକୁ ଇନ୍ଧନ ଦିଆଯିବ ନାହିଁ, ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି ।

ମନ୍ତ୍ରୀ କହିଛନ୍ତି, ଯଦି ଦିଲ୍ଲୀର AQI ୨୦୦-୩୦୦ ମଧ୍ୟରେ ରୁହେ ତେବେ ଜିଆରଏପି ଅନୁସାରେ ନିର୍ମାଣରୁ ବାହାରୁ ଥିବା ଧୂଳି ଉପରେ ନିୟମ ଗୁଡିକୁ କଡାକଡି ପାଳନ କରିବାକୁ ପଡିବ । ଯଦି AQI ୩୦୦-୪୦୦ ରୁହେ ତେବେ ତନ୍ଦୁର ଉପରେ ବ୍ୟାନ ଲାଗୁ କରାଯିବ । ସେହିପରି ପାର୍କିଂ ଫି ମଧ୍ୟ ବଢାଯିବ । ଏହାଛଡା ଯଦି AQI ୪୦୦-୫୦୦ ମଧ୍ୟରେ ରୁହେ ତେବେ ବାହାରୁ ଆସୁଥିବା ଗାଡି ଗୁଡିକ ଉପରେ ପ୍ରତିବନ୍ଧକ ଲାଗୁ କରାଯିବ । ଦିଲ୍ଲୀର ବଡ଼ ଗାଡିକୁ ବନ୍ଦ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.