ନୂଆଦିଲ୍ଲୀ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହାଇକୋର୍ଟଙ୍କ ପକ୍ଷରୁ ହିଜାବ ପରିଧାନ ଉପରେ ରୋକ୍ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଏବଂ ପ୍ରତିପକ୍ଷ ଓକିଲଙ୍କ ମଧ୍ୟରେ ଖୁବ୍ ବିତର୍କ ଦେଖିବାକୁ ମିଳିଛି। ମାମଲାର ଶୁଣାଣି ସମୟରେ ବିଚାରପତି ହେମନ୍ତ ଗୁପ୍ତା ଏହି ମାମଲାରେ ଆପଣ ତର୍କବିହୀନ ହୋଇ ପାରିବେ ନାହିଁ ବୋଲି ଜଣେ ଓକିଲଙ୍କୁ କହିଛନ୍ତି। କଣ ରାଇଟ୍ ଟୁ ଡ୍ରେସ୍ ସହ ରାଇଟ୍ ଟୁ ଅନଡ୍ରେସ୍ ବି ସାମିଲ୍ ? ଏହା ଉପରେ ଓକିଲ ଦେବଦତ୍ତ କାମତ କହିଛନ୍ତି, କୌଣସି ବି ସ୍କୁଲରେ ଅନଡ୍ରେସ୍ କରାଯାଉ ନାହିଁ। ଜବାବରେ ବିଚାରପତି ଗୁପ୍ତା କହିଛନ୍ତି, ସମସ୍ୟା ଏହା ଯେ ଗୋଟିଏ ସମୁଦାୟର ଲୋକେ ହିଜାବ ପିନ୍ଧିବା ନେଇ ଦାବି କରୁଛନ୍ତି। ଅପରପକ୍ଷେ ଅନ୍ୟ ସମୁଦାୟର ଛାତ୍ର-ଛାତ୍ରୀ ଡ୍ରେସ୍ କୋଡ୍ ପାଳନ କରୁଛନ୍ତି। ଏହି ଛାତ୍ର-ଛାତ୍ରୀମାନେ ପ୍ରଶ୍ନ କରୁ ନାହାନ୍ତି ଯେ, ଆମକୁ ଏହା ପିନ୍ଧିବା ଉଚିତ୍ ନା ନାହିଁ।
ବିତର୍କ ସମୟରେ ଆଇନଜୀବୀ କାମତ କହିଛନ୍ତି, ବହୁ ସଂଖ୍ୟାରେ ଛାତ୍ର କ୍ରସ୍ ଏବଂ ରୁଦ୍ରାକ୍ଷ୍ୟ ପିନ୍ଧି ସ୍କୁଲ ଏବଂ କଲେଜ୍ ଆସୁଛନ୍ତି। ଏହା ଉପରେ ବିଚାରପତି କହିଛନ୍ତି, କେହି ଏହି ସବୁ ଜିନିଷ ସାର୍ଟ ଭିତରେ ପିନ୍ଧିକି ଆସୁଛନ୍ତି। କେହି ବି ସାର୍ଟ ଉଠାଇ ଏହା ଦେଖିବେ ନାହିଁ ଯେ, ଛାତ୍ର ରୁଦ୍ରାକ୍ଷ ପିନ୍ଧିଛି କି ନାହିଁ। ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ସୁଧାଂଶୁ ଧୁଲିଆ କହିଛନ୍ତି, ଆପଣଙ୍କ ନିକଟରେ ଧାର୍ମିକ ଅଧିକାର ହୋଇପାରେ ଏବଂ ଏହାକୁ ଆପଣ ନିଜ ମୁତାବକ ମାନି ପାରିବେ। ହେଲେ ଆପଣ ନିଜର ଧାର୍ମିକ ମାନ୍ୟତାକୁ ସ୍କୁଲ ପର୍ଯ୍ୟନ୍ତ ନେଇ ଯାଇ ପାରିବେ, ଯେଉଁଠି ସମସ୍ତ ଛାତ୍ର-ଛାତ୍ରୀଙ୍କ ପାଇଁ ଡ୍ରେସ୍ କୋଡ୍ ନିୟମ ରହିଛି। ସମ୍ବିଧାନର ଧାରା ୨୫ ଆଧାରରେ ଧାର୍ମିକ ସ୍ଵାଧୀନତାର ପ୍ରଶ୍ନ ଉପରେ ଖଣ୍ଡପୀଠ କହିଛନ୍ତି, ଏହି ମାମଲା ଟିକେ ଭିନ୍ନ ରହିଛି।
ଖଣ୍ଡପୀଠ କହିଛନ୍ତି, କଣ ସରକାରୀ ସଂସ୍ଥାରେ ଆପଣ ନିଜ ଧାର୍ମିକ ମାନ୍ୟତାକୁ ମାନିବା ପାଇଁ ଜୋର ଦେଇ ପାରିବେ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଆମ ସମ୍ବିଧାନ ଅନୁସାରେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ସଂପ୍ରତି ଅଦାଲତ ଏହି ମାମଲା ଉପରେ କୌଣସି ନିଷ୍ପତ୍ତି ଦେଇ ନାହାନ୍ତି ଏବଂ ଗୁରୁବାର ଏହାର ଶୁଣାଣି ଜାରି ରଖିବାକୁ ପୀଠ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖନୀୟ ଏହି ବିବାଦ ଚଳିତ ବର୍ଷ ପ୍ରାରମ୍ଭରେ କର୍ଣ୍ଣାଟକର ଉଡ୍ଡୁପି ଜିଲ୍ଲାର ପିୟୁ କଲେଜରୁ ଆରମ୍ଭ ହୋଇଥିଲା। କଲେଜର ୬ ଛାତ୍ରୀ ଅଭିଯୋଗ କରିଥିଲେ ଯେ, ହିଜାବ ପିନ୍ଧିଥିବା କାରଣରୁ ସେମାନଙ୍କୁ ଶ୍ରେଣୀଗୃହରେ ପ୍ରବେଶ ଅନୁମତି ମିଳୁନାହିଁ। ଏହା ପରେ ମାମଲା ବଡ ରୂପ ଧାରଣ କରିବା ସହିତ ଜାତୀୟ ପ୍ରସଙ୍ଗ ପାଲଟିଥିଲା।