ଆମଲେଟ୍ ପାଇଁ ଆତ୍ମହତ୍ୟା : ଗୁରୁବାର ଅଣ୍ଡା ଭଜା କରିବାକୁ ମନା କଲା ମାଆ, ବେକରେ ତାର ଲଗାଇ ଝୁଲି ପଡିଲା ପୁଅ

Published By : Prameya-News7 Bureau | December 19, 2020 IST

ଆସିକା,୧୯/୧୨: ଅଣ୍ଡା ଭଜା ବା ଆମଲେଟ୍ ଖାଇବାକୁ ଇଚ୍ଛା ଥିଲା । ମାଆ କିନ୍ତୁ ତିଆରି କଲେ ନାହିଁ । ଅଭିମାନ କରିବା ସହ ପୁଅର ମୁଣ୍ଡକୁ ରାଗ ଉଠିଗଲା । ଏହି ଛୋଟ କଥା ପାଇଁ ନେଲା ଚରମ ନିଷ୍ପତ୍ତି । ଶେଷରେ ବେକରେ ରଶି ଲଗାଇ ଝୁଲିପଡ଼ିଲେ ପୁଅ । ମୃତକ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଲାଲା ଶାସନ ଗ୍ରାମରେ ମୁନା ନାୟକ ବୋଲି ଜଣାପଡିଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ସେଦିନ ଥାଏ ମାର୍ଗଶୀର ମାଣବସା ଗୁରୁବାର । ଘରେ ଘରେ ପୂଜା ଚାଲିଥାଏ । ଆମିଷ ତ ଦୂରେ ଥାଉ ପିଆଜ ରସୁଣ ମଧ୍ୟ ଘରେ ପସେନି । ମୁନା ଭାତ ଖାଇବାକୁ ଘରେ ବସିଥିବାବେଳେ ମାଆ ଗୋଲାପଙ୍କୁ ଆମଲେଟ୍ ଦେବାକୁ କହିଥିଲେ । ଗୁରୁବାର ପୂଜା ଯୋଗୁଁ ମାଆ ଅଣ୍ଡା ଭାଜିକି ଦେବାକୁ ମନା କରିଦେଇଥିଲେ । ଏଥିରେ ପୁଅ ରାଗିଯାଇ ଘର ସାମନାରେ ଥିବା କାଠଘରକୁ ଚାଲିଯାଇଥିଲେ । ବହୁ ସମୟ ଧରି ନ ଫେରିବାରୁ ମାଆ ବଡ଼ ପୁଅ ବିଚିତ୍ରକୁ ମୁନାକୁ ଡାକିବାକୁ ପଠାଇଥିଲେ । ବିଚିତ୍ର କାଠଘର କବାଟ ଖୋଲି ଦେଖିଲା ବେଳକୁ ସାନ ଭାଇ ବିଦ୍ୟୁତ କେବୁଲ ତାର ବେକରେ ଦେଇ ଝୁଲି ପଡିଛି ।

ତୁରନ୍ତ ମୁନାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲକୁ ନେଇ ଥିଲେ ମଧ୍ୟ ଡାକ୍ତର ମୃତ ତାଙ୍କୁ ଘୋଷଣା କରିଥିଲେ । ମାଆ ଗୋଲାପ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.