SBI ଗ୍ରାହକଙ୍କ ପାଇଁ ଭଲ ଖବର, ଏବେ ATMରୁ ପଇସା ଉଠାଇବା ପାଇଁ ଦରକାର ପଡିବନି ଡେବିଟ୍ କାର୍ଡ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୯: ଟେକ୍ନୋଲଜି ଦିନକୁ ଦିନ ବଦଳୁଛି। ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଧାଡି ବାନ୍ଧିବାକୁ ନ ପଡୁ ସେଥି ପାଇଁ ଏଟିଏମ ଆସିଲା। ଏଥିରୁ ବିନା ସମସ୍ୟାରେ ମାତ୍ର କିଛି ସେକେଣ୍ଡରେ ପଇସା ବାହାର କରି ହେଉଛି। ତେବେ ଏପର୍ଯ୍ୟନ୍ତ ଏଟିଏମରୁ ପଇସା ଉଠାଣ ପାଇଁ ଡେବିଟ୍ କାର୍ଡର ଆବଶ୍ୟକତା ପଡୁଛି,ଯାହା ଆଗକୁ ଆଉ ଦରକାର ହେବ ନାହିଁ। ଆପଣ ନିଜ ଫୋନ ମାଧ୍ୟମରେ ଏଟିଏମରୁ ପଇସା ଉଠାଣ କରିପାରିବେ। 

କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ନିମନ୍ତେ ବିନା ଏଟିଏମ କାର୍ଡରେ ଏବେ ଏଟିଏମରୁ ପଇସା ଉଠାଣ ବ୍ୟବସ୍ଥା କରିସାରିଲେଣି। ଏବେ ଏହି ସୀମାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଢାଇ ସାରିଲେଣି। ଏବେ ଏସବିଆଇ ଏଟିଏମରୁ ପଇସା ବାହାର କରିବା ପାଇଁ ଆଗକୁ ଆଉ କାର୍ଡର ଆବଶ୍ୟକତା ପଡିବ ନାହିଁ। ଏଥି ପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟ ଫୋନ ଥିବା ଆବଶ୍ୟକ। ଯାହା ଦ୍ୱାରା ୟୁପିଆଇରେ ପଇସା ବାହାର କରାଯାଇ ପାରିବ। 

କେମିତି ବାହାର କରିବେ ପଇସା?
 ପଇସା ବାହାର କରିବା ପାଇଁ ଏଟିଏମକୁ ଯାଆନ୍ତୁ। ଏଟିଏମରେ ଆପଣଙ୍କୁ ଦୁଇଟି ଅପସନ ମିଳିବ, ପ୍ରଥମଟି ୟୁପିଆଇ ଓ ଦ୍ୱତୀୟଟି କ୍ୟାସ୍। ଏଥର ଆପଣ ୟୁପିଆଇରେ କ୍ଲିକ୍‌ କରନ୍ତୁ। ଏହା ପରେ କେତେ କ୍ୟାସ୍ ଦରକାର ମେସିନ ପଚାରିବ, ଏଥର ଏମାଉଣ୍ଟ ଏଣ୍ଟର କରନ୍ତୁ। ଏହା ପରେ ସ୍କ୍ରିନରେ କ୍ୟୁଆର କୋଡ ଆସିବ। ଏହାକୁ ଆପଣଙ୍କ ଫୋନରେ ଥିବା ‘ଭୀମ’, ପେଟିଏମ, ଜି ପେ ଅଥବା ଫୋନ ପେ ଯେକୌଣସି ଆପରେ ସ୍କାନ କରନ୍ତୁ। ଏହା ପରେ ନିଜ ବ୍ୟାଙ୍କକୁ ଚିହ୍ନଟ କରି ପିନ ଦିଅନ୍ତୁ। ଏହା ପରେ ସକସେସଫୁଲ ପେମେଣ୍ଟର ମ୍ୟାସେଜ ଆସିଯିବ। 

ଏବେ ସ୍କ୍ରିନରେ କଣ୍ଟିନ୍ୟୁ ବଟନ ଦେଖାଯିବ, ଯାହା ଉପରେ କ୍ଲିକ୍ କରି ଆପଣ ଆପଣଙ୍କ ଟ୍ରାଞ୍ଜାକ୍ସନର ସୂଚନା ପାଇ ପାରିବେ। ଏହା ପରେ ଯେତିକି ଏମାଉଣ୍ଟ ଆପଣ ଲେଖିଥିବେ ତେହା ମେସିନରୁ ବାହାରି ଆସିବ। ଏଟିଏମ କାର୍ଡରେ ପଇସା ଉଠାଇବା ସୁରକ୍ଷିତ, ହେଲେ ଅନେକ ସମୟରେ ଗ୍ରାହକଙ୍କ ସହ ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସୁଛି। କାର୍ଡ ସ୍କିମିଂ, କାର୍ଡ କ୍ଲୋନିଂ ଭଳି ଠକେଇରୁ ଏହି ଭଳି ଉପାୟରେ ରକ୍ଷା ମିଳିପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.