ମାନପୁର ପ୍ରାଥମିକ ବିଦ୍ୟାଳୟର ନାହିଁ ନିଜସ୍ୱ ଗୃହ: ଗଛମୂଳେ ଚାଲିଛି ପାଠପଢ଼ା, ଧୂୂଳିବାଲିରେ ରନ୍ଧା ହେଉଛି ମଧ୍ୟାହ୍ନ ଭୋଜନ

Published By : Prameya-News7 Bureau | July 13, 2022 IST

ଜଟଣୀ ୧୩/୦୭: ଜଟଣୀ ବ୍ଲକ ଅଙ୍ଗାରପଡ଼ା ପଞ୍ଚାୟତର ଆଦିବାସୀ ବହୁଳ ମାନପୁର ଗ୍ରାମ । ଏଠାରେ ରହିଛି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ । ବିଶେଷକରି ଆଦିବାସୀ ପିଲାଙ୍କ ଉଦ୍ଦେଶ୍ୟରେ ଏହି ସ୍କୁଲଟିକୁ ୨୦୧୪ ମସିହାରେ ସ୍ଥାପନ କରାଯାଇଥିଲା । ତେବେ ସ୍କୁଲଟି ଆରମ୍ଭ ଦିନରୁ ଏହାର ଛାତ୍ରଛାତ୍ରୀ ଗଛମୂଳେ ପାଠ ପଢ଼ିଆସୁଛନ୍ତି । ଶିକ୍ଷାନୁଷ୍ଠାନର ନିଜସ୍ୱ ଗୃହ ନାହିଁ ।

ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ୩୦ ପିଲା ପଢ଼ୁଛନ୍ତି । ଗଛମୂଳେ ଏକତ୍ର ୪ଟି ଶ୍ରେଣୀର ପିଲାଙ୍କୁ ଦୁଇଜଣ ଶିକ୍ଷକ ପଢ଼ାଉଛନ୍ତି । ଅନ୍ୟ ଉପାୟ ନାହିଁ । ବର୍ଷା ହେଲେ ନିକଟରେ ଥିବା ଗୋଟିଏ କୋଠରୀ ବିଶିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥାନ୍ତି । ଦିନ ୧୨ଟାରେ ଅଙ୍ଗନବାଡ଼ି ପିଲାଙ୍କ ଛୁଟି ହେବା ପରେ ସ୍କୁଲ ପିଲା ଅଙ୍ଗନବାଡ଼ି ଗୃହକୁ ପ୍ରବେଶ କରିଥାନ୍ତି ।

ଯେପର୍ଯ୍ୟନ୍ତ ଅଙ୍ଗନବାଡ଼ି ଛୁଟି ନହୋଇଛି, ସେ ପର୍ଯ୍ୟନ୍ତ ଛୋଟିଆ ବାରଣ୍ଡାରେ ଖୁନ୍ଦାଖୁନ୍ଦି ହୋଇ ବସିଥାନ୍ତି କିମ୍ବା ଛିଡ଼ା ହୋଇଥାନ୍ତି । ରୋଷଘର ନଥିବାରୁ ମଧ୍ୟାହ୍ନଭୋଜନ ମଧ୍ୟ ଗଛ ମୂଳେ ପ୍ରସ୍ତୁତ କରାଯାଇଥାଏ । ଆଉ ବାହାର ଧୂଳିବାଲିରେ ବସି ପିଲେ ଭୋଜନ କରନ୍ତି । ବର୍ଷା ହେଲେ ସେଦିନ ମଧ୍ୟାହ୍ନଭୋଜନ ବନ୍ଦ । ଆଦିବାସୀ ବହୁଳ ଏହି ଗ୍ରାମର ଅଧିକାଂଶ ଦିନମଜୁରିଆ । ଦୈନିକ ମୂଲ ଲାଗିବାକୁ ଯାଇଥାନ୍ତି ।

ଫଳରେ ମଧ୍ୟାହ୍ନଭୋଜନ ବନ୍ଦ ହୋଇଥିବା ଦିନ ସ୍କୁଲକୁ ଆସିଥିବା ଗ୍ରାମର ଛାତ୍ରଛାତ୍ରୀ ଭୋକ ଉପାସରେ ଘରକୁ ଫେରନ୍ତି । ୮ ବର୍ଷ ହେବ ଏଠାରେ ଏହିପରି ଶିକ୍ଷାଦାନ ଚାଲିଛି । ସ୍ଥାନୀୟ ପ୍ରଶାସନ କିମ୍ବା ଶିକ୍ଷା ବିଭାଗର ଏହି ବିଦ୍ୟାଳୟ ଉପରେ କେଉଁ ଦିନ ଶୁଭଦୃଷ୍ଟି ପଡ଼ିବ ସେହି ଦିନକୁ ଅପେକ୍ଷା କରିଛନ୍ତି ନିରୀହ ଆଦିବାସୀ ଅଭିଭାବକ । ଅଭିଭାବକ କୁହନ୍ତି, ସ୍କୁଲଟି ପ୍ରଥମେ ଗ୍ରାମ କୋଠଘରେ କିଛିଦିନ ଚାଲିଥିଲା ।

ପରେ ଅଙ୍ଗନବାଡ଼ି କେନ୍ଦ୍ର ନିକଟ ଗଛମୂଳକୁ ସ୍ଥାନାନ୍ତରିତ ହୋଇଥିଲା । ବିଦ୍ୟାଳୟ ପାଇଁ ଆବଶ୍ୟକ ନିଜସ୍ୱ ଗୃହ, ପାଣି ବ୍ୟବସ୍ଥା, ପାଇଖାନା, ରୋଷଘର କିଛି ନାହିଁ । ଫଳରେ ଛାତ୍ରଛାତ୍ରୀ ଗଛମୂଳେ କିମ୍ବା ଅଙ୍ଗନବାଡ଼ି ପିଲାଙ୍କ ସହିତ ଏକାଠି ବସି ପାଠ ପଢ଼ୁଛନ୍ତି । ଏକଥାକୁ ବିଭାଗୀୟ ଅଧିକାରୀ କେବେ ଦେଖିବେ ଓ କେବେ ଏହାର ସୁବନ୍ଦୋବସ୍ତ କରିବେ ତାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.