ୟୁକ୍ରେନ ଉପରେ ଆକ୍ରମଣରେ ଆମର କିଛି କ୍ଷତି ଘଟିନି, କେବଳ ଫାଇଦା ମିଳିଛି: ଭ୍ଲାଦିମିର ପୁଟିନ୍
7/09/2022 at 7:11 PM

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଛଅ ମାସରୁ ଅଧିକ ସମୟ ବିତି ସାରିଛି। ଏହି କାରଣରୁ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ ଅନେକ ପ୍ରକାରର କଟକଣା ଲଗାଇଛନ୍ତି। ଏହା ସତ୍ଵେ ବି ରୁଷ ରାଷ୍ଟ୍ରପତି ପୁଟିନ୍ଙ୍କ କହିବା କଥା ଏହି ଯୁଦ୍ଧରେ ରୁଷର କୌଣସି କ୍ଷତି ଘଟିନାହିଁ ବରଂ ଲାଭ ହୋଇଛି। ଏଥିରେ ଦୁନିଆରେ ରୁଷର ଦବଦବା ବଢିବ।
ରୁଷର ପେସିଫିକ୍ ସହର ଭ୍ଲାଦିବୋତ୍ସୋଭରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଏହା କହିଛନ୍ତି ରାଷ୍ଟ୍ରପତି ପୁଟିନ୍। ନିଜ ଭାଷଣରେ ସେ ୟୁକ୍ରେନ ବିଷୟରେ ସେତେଟା କିଛି କହି ନାହାନ୍ତି। ହେଲେ ୟୁକ୍ରେନ ବିଷୟରେ ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ କେବଳ ଏତିକି କହିଛନ୍ତି, ଏହି ଯୁଦ୍ଧରେ କେବଳ ଫାଇଦା ହୋଇଛି, କ୍ଷତି ନୁହଁ।
ପୁଟିନ୍ଙ୍କ ମତରେ ନା ଆମେ କିଛି ହରାଇଛୁ ନା ଆଗକୁ ଆମର କୌଣସି କ୍ଷତି ଘଟିବ। ଯଦି ଏହି ଯୁଦ୍ଧରେ କଣ ପାଇଲ ପଚରାଯିବ ତେବେ ଉତ୍ତର ଏହା ଯେ, ଆମର ସାର୍ବଭୌମତ୍ଵ ଅଧିକ ମଜବୁତ ହୋଇଛି। ଏହା ବାଦ୍ ଦେଶ ଭିତରେ ଆମେ ଆହୁରି ସଶକ୍ତ ହୋଇଛୁ। ପୁଟିନ୍ ଏହା ମଧ୍ୟ ମାନିଛନ୍ତି ଯେ, ଏହି ଯୁଦ୍ଧରେ ରୁଷ ଭିତରେ ଏବଂ ବାହାରେ ଧ୍ରୁବିକରଣ ହୋଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଯୁଦ୍ଧରେ ଉଭୟ ପକ୍ଷର ଅନେକ ସୈନିକଙ୍କ ମୃତାହତ ଘଟିଛି। ଏହା ପରେ ବି ୟୁକ୍ରେନ ଏ ପର୍ଯ୍ୟନ୍ତ ରୁଷ ସାମ୍ନାରେ ହାର ମାନିନାହିଁ। ତଥାପି ଏହି ଯୁଦ୍ଧରୁ ବହୁତ କିଛି ପାଇଥିବା ପୁଟିନ୍ କହୁଛନ୍ତି।