ରାଜସ୍ଥାନରେ ସରକାର ହିଁ ନାହିଁ, ଗେହଲଟ୍-ପାଇଲଟ୍ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଧର୍ମେନ୍ଦ୍ରଙ୍କ ଆକ୍ଷେପ
28/11/2022 at 11:09 PM

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସକୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ସରକାର ହିଁ କିଛି ନାହିଁ।
ସୋମବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟରେ ସରକାର ହିଁ ନାହିଁ। ଏଠାରେ କଂଗ୍ରେସ ନେତୃତ୍ଵ ନିଜ ଭିତରେ ଝଗଡା କରିବାରେ ବ୍ୟସ୍ତ। ପାର୍ଟିର ଏଜେଣ୍ଡାରେ ଜନ କଲ୍ୟାଣକାରୀ କାମ ହିଁ ନାହିଁ। ରାଜ୍ୟରେ ଲୋକଙ୍କ ଦାବି ନଗଣ୍ୟ ହୋଇ ଗଲାଣି। ତେଣୁ ଆଗାମୀ ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସକୁ ଭୋଟ୍ ମିଳିବ ନାହିଁ, ଏଥିରେ ମୋର କୌଣସି ସନ୍ଦେହ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ବିଜେପି ରାଜ୍ୟରେ କଂଗ୍ରେସ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଗେହଲଟଙ୍କ ଅଭିଯୋଗ ଉପରେ ଧର୍ମେନ୍ଦ୍ର କହିଛନ୍ତି ଯେ, କଣ ସଚିନ ପାଇଲଟ୍ ବିଜେପିର ସଦସ୍ୟ ? ମୁଁ ଗେହଲଟ୍ଙ୍କୁ ବହୁତ ସମ୍ମାନ କରେ କିନ୍ତୁ ସେ କଂଗ୍ରେସ ଦଳରେ ଚାଲିଥିବା ଲଢେଇକୁ ଲୁଚାଇ ପାରିବେ ନାହିଁ। ଏହାକୁ ନେଇ ଲୋକ ଢେଗ ରହିଛି, ଚାଲି ନ ଜାଣଇ ବାଟର ଦୋଷ।
ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନରେ ପାର୍ଟି ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନିର୍ବାଚନରେ ଆମ ଚେହେରା ହେଉଛି ପଦ୍ମ ଫୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂତନ ଶିକ୍ଷା ନୀତି ସମଗ୍ର ଦେଶରେ ଲାଗୁ କରିବା ଏକ ଚ୍ୟାଲେଞ୍ଜ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।