ହିନ୍ଦୁ ବୋଲି ମୁଁ ଗର୍ବିତ, ଖଲିସ୍ତାନ ଉଗ୍ରବାଦୀଙ୍କ ହିଂସା ସହିବନି ବ୍ରିଟେନ୍: ଦିଲ୍ଲୀରେ ପହଞ୍ଚି କହିଲେ ଋଷି ସୁନକ
8/09/2023 at 9:33 PM

ଖଲିସ୍ତାନୀଙ୍କ ଭାରତ ବିରୋଧୀ ଆନ୍ଦୋଳନକୁ ବ୍ରିଟେନ୍ରେ ଆଦୌ ସହ୍ୟ କରାଯିବନି। ଏକଥା କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍। ଭାରତରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍। ତେବେ ଏହାପୂର୍ବରୁ ସେ କହିଛନ୍ତି ଯେ ବ୍ରିଟେନ୍ରେ କୌଣସି ଗୋଷ୍ଠୀ ସମର୍ଥକଙ୍କ ଦ୍ୱାରା ହିଂସା ଓ ଅଶାନ୍ତି ଆଦୌ ଗ୍ରହଣୀୟ ନୁହେଁ। ଖଲିସ୍ତାନୀ ସମର୍ଥକଙ୍କ ବିରୋଧକୁ ପ୍ରତିହତ କରିବା ପାଇଁ ଭାରତ ସରକାରଙ୍କ ସହ ବ୍ରିଟେନ୍ ରହିଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ‘ଖଲିସ୍ତାନୀ ସମର୍ଥକମାନେ ଯାହା କରୁଛନ୍ତି, ତାହା ଠିକ୍ ନୁହେଁ ମୁଁ ଭାବୁଛି। ଆମର ପ୍ରତିରକ୍ଷା ମନ୍ତ୍ରୀ ନିକଟରେ ଭାରତ ସରକାରଙ୍କ ଠାରେ ମତ ରଖିଥିଲେ। ଆମେ ଏକାଠି କାମ କରିବା ସହ ଉଭୟ ଦେଶର ଗୁଇନ୍ଦା ଓ ସୂଚନାକୁ ସେୟାର କରୁଛୁ, ଯାହାଦ୍ୱାରା ଏପରି ହିଂସାକୁ ଆମେ ମୂଳୋତ୍ପାଟନ କରିପାରିବୁ।’
ଋଷି ସୁନକ ବିଭିନ ମନ୍ଦିର ଯିବା ଅବସରରେ ସେ କହିଛନ୍ତି- ମୁଁ ଜଣେ ହିନ୍ଦୁ ଭାବେ ଗର୍ବିତ। ମୁଁ ଏଠାରେ ରହି ଆଗାମୀ ଦିନରେ ମନ୍ଦିର ବୁଲିପାରିବି। ରକ୍ଷାବନ୍ଧନ ଓ ଜନ୍ମାଷ୍ଟମୀକୁ ନେଇ ସେ କହିଛନ୍ତି ଯେ ‘ମୁଁ ମୋ ଭଉଣୀ ଓ ସମ୍ପର୍କୀୟଙ୍କ ସହ ରକ୍ଷାବନ୍ଧନ ସେଲିବ୍ରେସନ କରିଥିଲୁ। ମୋ ପାଖରେ ସବୁ ରାକ୍ଷୀ ଅଛି କିନ୍ତୁ ଜନ୍ମାଷ୍ଟମୀ ପାଳିବା ପାଇଁ ମୋ ପାଖରେ ସମୟ ନଥିଲା। କିନ୍ତୁ ଏଥର ଆମେ ମନ୍ଦିର ଯିବୁ।’
ଜି ୨୦ରେ ସାମିଲ ହେବା ପାଇଁ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ପହଞ୍ଚିଥିଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ଋଷିଙ୍କ ସହ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ଆସିଛନ୍ତି। ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଋଷିଙ୍କୁ ଜୟ ସୀତାରାମ କହି କେନ୍ଦ୍ରମନ୍ତ୍ରୀ ଅଭିବାଦନ ଜଣାଇଥଲେ। ପ୍ରତି ଉତ୍ତରରେ ଋଷି ସୁନକ ମଧ୍ୟ ଜୟ ସୀତାରାମ କହିଥିଲେ। ଋଷି ସୁନକ ଏବଂ ତାଙ୍କ ପରିବାରର ଭାରତ ସହ ଗଭୀର ସମ୍ପର୍କ ରହିଛି।
ଅଧିକ ପଢନ୍ତୁ- ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଜୋ ବାଇଡେନ, ସୁନକ, କିଶିଦା ଓ ଶେଖ୍ ହସିନା; ଜାଣନ୍ତୁ ପହଞ୍ଚିଛନ୍ତି ଆଉ କେଉଁ ନେତା
ପ୍ରକାଶଥାଉକି ଗତ ମାର୍ଚ୍ଚରେ ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ଉପରକୁ ଆକ୍ରମଣ କରିଥିଲେ। ଏହାସହ କୋଠାରେ ଲାଗିଥିବା ତ୍ରିରଙ୍ଗା ପତାକାକୁ ଟାଣି ତଳେ ପକାଇଦେଇଥିଲେ। ଏହି ଘଟଣା ପରେ ବିଟ୍ରେନ୍ ସରକାରଙ୍କ ପକ୍ଷରୁ ଭାରତୀୟ ହାଇ କମିଶନ ଠାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା।
ପରେ ଲଣ୍ଡନରେ ଆୟୋଜିତ ୫ମ ଭାରତ-ବ୍ରିଟେନ ସମ୍ମିଟ୍ରେ ଖଲିସ୍ତାନୀ କାର୍ଯ୍ୟକଳାପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଭଳି ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବି କରାଯାଇଥିଲା।